ନୂଆଦିଲ୍ଲୀ: ଚୀନ ଏବଂ ତାଇୱାନ ମଧ୍ୟରେ ଚିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ତାଇୱାନ ଗସ୍ତ କରିବେ ଫ୍ରାନ୍ସ ସାଂସଦଙ୍କ ପ୍ରତିନିଧିମଣ୍ଡଳ । ତାଇୱାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆମେରିକା ଅଧିକାରୀଙ୍କ ପରେ ଫ୍ରାନ୍ସର ପ୍ରତିନିଧିମଣ୍ଡଳ ତାଇୱାନ ଗସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନ୍ସି ପେଲୋସୀଙ୍କ ତାଇୱାନ ଗସ୍ତ ପରେ ଚୀନ ବିଚଳିତ ହୋଇ ଉଠିଛି । ଏହାପରେ ୟରୋପୀୟ ଦେଶ ଫ୍ରାନ୍ସର ତାଇୱାନ ଗସ୍ତକୁ ନେଇ ଚୀନ ଅଧିକ ଆକ୍ରମଣାତ୍ମକ ହୋଇପାରେ। ଚୀନ ସହ ବଢୁଥିବା ଚିକ୍ତତା ମଧ୍ୟରେ ତାଇୱାନ ସମାନ ବିଚାରଧାର ରଖୁଥିବା ଲୋକତନ୍ତ୍ର ସହ ସମ୍ପର୍କରୁ ଅଧିକ ମଜଭୁତ କରିବା ଉପରେ ଇଚ୍ଛା ପ୍ରକାଶ କରିଛି।
ତାଇୱାନକୁ ନିଜର ବୋଲି ଦାବି କରୁଥିବା ଚୀନ ଏବେ ଖୋଲା ଧମକ ଦେଉଛି। ନିକଟରେ ତାଇୱାନ ଚୀନର ଡ୍ରୋନ ଉପରକୁ ଗୁଳି ମାରିଥିବା ନେଇ ଦାବି କରିଥିଲେ। ଚୀନକୁ ପଲଟା ଜବାବ ଦେଇ ଏହିପରି କାର୍ଯ୍ୟାନୁଷ୍ଠାନ ନେଇଥିବା ତାଇୱାନ କହିଥିଲା।
ଫ୍ରାନ୍ସର ପାଞ୍ଚ ଜଣିଆ ପ୍ରତିନିଧିମଣ୍ଡଳ ଚଳିତ ସପ୍ତାହରେ ତାଇୱାନ ଗସ୍ତ କରିବେ। ତାଇୱାନ ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର ଏହି ସୂଚନା ଦେଇଛି। ପ୍ରତିନିଧିମଣ୍ଡଳ ବୁଧବାର ଦେଶରେ ପହଞ୍ଚିବା ପରେ ସୋମବାର ଯାଏଁ ଦେଶରେ ରହିବେ। ଏହି ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତି ସାଇ ଇଙ୍ଗ- ୱେନ ପରିବର୍ତ୍ତେ ଉପରାଷ୍ଟ୍ରପତି ବିଲିୟମ ଲାଇଙ୍କୁ ଭେଟିବେ।
