ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲାଲ୍ ଗଡ ଭାବେ ପରିଚିତ ସ୍ୱାଭିମାନ ଅଞ୍ଚଳରେ ପ୍ରଥମ ଥର ଲାଗି ଗଡିଲା ସରକାରୀ ବସ୍ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଜୋଡାଆମ୍ବ ଠାରୁ ଆରମ୍ଭ ହେଲା ଯାତ୍ରୀବାହି ବସ ସେବା । ଏଣିକି ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଲୋକଙ୍କୁ ଆଉ ଯାତାୟାତ ପାଇଁ ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ । ସରକାରୀ ବସରେ ବସି ସିଧା ଚିତ୍ରକୋଣ୍ଡା ବ୍ଳକ୍ କାର୍ଯ୍ୟାଳୟ ସହ ମାଲକାନଗିରି ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଆସି ପାରିବେ ଲୋକେ ।

ତେବେ ସ୍ୱାଧୀନତାର ୭୫ ବର୍ଷ ପରେ ନିଜ ଗାଁ ବସ ସେବା ଆରମ୍ଭ ହୋଇ ଥିବାରୁ ଖୁସି ମନାଇଛନ୍ତି ସ୍ବାଭିମାନ ଅଞ୍ଚଳର ଆଦିବାସୀ ଲୋକେ । ବସ ଉଦଘାଟନ କରିବାକୁ ଯାଇଥିବା ଚିତ୍ରକୋଣ୍ଡା ବିଧାୟକ ଓ ମାଲକାନଗିରି ଉପଜିଲ୍ଲାପାଳ ମଧ୍ୟ ଆଦିବାସୀ ଲୋକଙ୍କ ସହ ମିଶି ନାଚିଛନ୍ତି । ସ୍ବାଭିମାନ ଅଞ୍ଚଳର ବିକାଶ କଥା ଲୋକଙ୍କ ଏହି ଖୁସି ହିଁ ବୟାନ କରୁଛି ବୋଲି ବିଧାୟକ କହିଛନ୍ତି।