“କଂଗ୍ରେସ ମୋ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି, ହେଲେ ତାଙ୍କ ପାଇଁ ମୋ ରାଇଫଲ ହିଁ କାଫି”: ଗୁଲାମ ନବୀ ଆଜାଦ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ମୋ ଉପରେ କ୍ଷେପଣାସ୍ତ୍ର ରେ ଆକ୍ରମଣ କଲେ, ମୁଁ ଗୋଟିଏ ରାଇଫଲରେ ହିଁ ସବୁ ନଷ୍ଟ କରିଦେବି। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୁଲାମ ନବୀ ଆଜାଦ୍‌ କିଛି ଏଭଳି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ସହ ୫୦ ବର୍ଷରୁ ଉର୍ଦ୍ଧ ସମ୍ପର୍କ ତୁଟାଇବା ପରେ ଦଳ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛି। ତେବେ ଏହାର ପ୍ରତିଆକ୍ରମଣ ପାଇଁ ଆଜାଦ୍‌ ମଧ୍ୟ ପଛଘୁଞ୍ଚା ଦେଇ ନାହାନ୍ତି ।ସେ କହିଛନ୍ତି ଯେ, କଂଗ୍ରେସ ସର୍ବଦା ମୋ ପ୍ରତି କ୍ଷେପଣାସ୍ତ୍ର ନିକ୍ଷେପ କରୁଛି। କିନ୍ତୁ ମୋ ପାଖରେ ଥିବା ରାଇଫଲ ହିଁ ତାଙ୍କ ପାଇଁ କାଫି। ଯଦି ମୁଁ କ୍ଷେପଣାସ୍ତ୍ର ବ୍ୟବହାର କରିବି ତାହେଲେ ସେମାନେ ଧ୍ୱଂସ ହୋଇଯିବେ। କିନ୍ତୁ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏବଂ ରାଜୀବ ଗାନ୍ଧିଙ୍କ ଉପରେ ମନ୍ତବ୍ୟ ଦେବାକୁ ଉଚିତ୍ ବୋଲି ମାନୁ ନାହିଁ।

ସେ ଆହୁରି କହିଛନ୍ତି ଯେ, ଯେହେତୁ ମୁଁ କଂଗ୍ରେସରେ ୫୨ ବର୍ଷ ହେଲା ସଦସ୍ୟ ଥିଲି ମୁଁ ରାଜୀବ ଗାନ୍ଧିଙ୍କୁ ନିଜ ଭାଇ ଭଳି ମାନେ। ତାଙ୍କ ପ୍ରତି ମୋର ଅନେକ ଶ୍ରଦ୍ଧା ରହିଛି। ମୁଁ ସେଥିପାଇଁ ତାଙ୍କ ପ୍ରତି ଗୋଟିଏ ବି ଶବ୍ଦ ବ୍ୟବହାର କରିବାକୁ ଚାହେଁ ନାହିଁ। ତେବେ ଆଜି ତାଙ୍କ ନୂଆ ଦଳର ଆଭିମୁଖ୍ୟ ସମ୍ପର୍କରେ ଘୋଷଣା କରିଛନ୍ତି ଆଜାଦ୍। ଗରିବଙ୍କ ସେବା ପାଇଁ ତାଙ୍କ ଦଳ ସମର୍ପିତ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ମୁଁ ଏପର୍ଯ୍ୟନ୍ତ ମୋ ପାର୍ଟିର ନାମ ସ୍ଥିର କରି ନାହିଁ। ଜମ୍ମୁ କଶ୍ମୀରର ଲୋକମାନେ ଦଳର ନାମ ଏବଂ ପତାକା ସ୍ଥିର କରିବେ। ମୁଁ ମୋ ପାର୍ଟିକୁ ଏକ ହିନ୍ଦୁସ୍ତାନୀ ନାମ ଦେବି ଯାହା ସମସ୍ତଙ୍କୁ ନେଇ ଚାଲିପାରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, କଂଗ୍ରେସ ସହିତ ଥିବା ୫ ଦଶନ୍ଧିର ସମ୍ପର୍କକୁ ଅଗଷ୍ଟ ୨୬ ତାରିଖ ଦିନ ଶେଷ କରି ଆଜାଦ୍‌ କଂଗ୍ରେସକୁ ‘ସବୁ ଦୃଷ୍ଟିରୁ ନଷ୍ଟ’ ହୋଇଯାଇଥିବା ଦଳ କହିଥିଲେ। ଏଥିସହ ଦଳର ପରାମର୍ଶଦାତା ବ୍ୟବସ୍ଥାକୁ ଧ୍ୱଂସ କରିଥିବା ରାହୁଲ୍‌ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ। କଂଗ୍ରେସ ଆଜାଦ୍‌ଙ୍କୁ ସମ‌ାଲୋଚନା କରି କହିଥିଲା କି, ଆଜାଦ୍‌ଙ୍କ ‘ଡିଏନ୍‌ଏ’ ‌’ମୋଦୀ-ଫାଏଡ୍‌’ (ଅର୍ଥାତ୍‌ ମୋଦୀଙ୍କ ଆଡ଼କୁ ପରିବର୍ତ୍ତିତ) ହୋଇଯାଇଛି । ଏହାର ପ୍ରତ୍ୟୁତ୍ତରରେ ଆଜାଦ୍‌ ମଧ୍ୟ କହିଥିଲେ ଯେ, ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ଭେଟିବା ଏବଂ କଥାବାର୍ତ୍ତା କଲେ କାହାର ‘ଡିଏନ୍‌ଏ’ ବଦଳିଯାଏ ନାହିଁ। ତେବେ ଆଜାଦ୍ ଙ୍କ ଇସ୍ତଫା ପରେ କଂଗ୍ରେସ ପକ୍ଷରୁ ତାଙ୍କୁ ଲଗାତାର ଆକ୍ରମଣ କରାଯାଉଛି। ଆଜାଦ୍ ମଧ୍ୟ ସେ ସବୁର ଦୃଢ଼ ଜବାବ୍ ଦେଉଛନ୍ତି।

Related Posts