ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୋଆ କଂଗ୍ରେସ ଛାଡ଼ିବା ପରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପୂର୍ବତନ ନେତା ଦିଗମ୍ବର କାମତ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦିଗମ୍ବର କହିଛନ୍ତି ଯେ, ସେ ଯାହା କରିଛନ୍ତି ଇଶ୍ୱରଙ୍କ ଇଚ୍ଛାରେ କରିଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଗୋଆ ନିର୍ବାଚନ ପୂର୍ବରୁ କିଛି କଂଗ୍ରେସ ନେତା ମନ୍ଦିର ଏବଂ ଚର୍ଚ୍ଚ ଯାଇ କଂଗ୍ରେସର ଅନୁଗତ ହୋଇ ରହିବେ ବୋଲି ଶପଥ ନେଇଥିଲେ ।ଏବେ ଯେତେବେଳେ ଦିଗମ୍ଭରଙ୍କ ସମେତ ୭ ଜଣ କଂଗ୍ରେସ ନେତା ଦଳ ଛାଡ଼ି ବିଜେପିରେ ମିଶିଲେ ସାମ୍ବାଦିକମାନେ ପୁରୁଣା କଥାକୁ ନେଇ ତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଦିଗମ୍ବର କହିଛନ୍ତି ଯେ, ସେ ଯାହା କରିଛନ୍ତି ଇଶ୍ୱରଙ୍କ ଇଚ୍ଛାରେ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ପୁଣିଥରେ ମନ୍ଦିରକୁ ଯାଇ ଭଗବାନଙ୍କୁ ପଚାରିଲି କଣ କରିବି। ଭଗବାନ କହିଲେ ଯାହା ତୁମ ପାଇଁ ଭଲ ହେବ ସେୟା କର। ଏହାପରେ ଭଗବାନଙ୍କ କଥା ମାନି ସେ କଂଗ୍ରେସ ଛାଡିଥିବା କହିଛନ୍ତି।

ସୂଚନା​ ଅନୁସାରେ, ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ କଂଗ୍ରେସର ୮ ବିଧାୟକ ଆଜି ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏ ନେଇ ଆଜି ସକାଳେ ବିଧାୟକଙ୍କ ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଗୋଆର ୪୦ ବିଧାନସଭା ଆସନରୁ ବିଜେପି ପାଖରେ ମୋଟ୍‌ ୨୦ଟି ଆସନ ରହିଥିବା ବେଳେ କଂଗ୍ରେସ ହାତରେ ୧୧ଟି ଆସନ ରହିଥିଲା। ସେହିପରି ୯ଟି ଆସନ ଅନ୍ୟାନ୍ୟ ଦଳଙ୍କ ପାଖରେ ରହିଛି। ଏପରି ପରିସ୍ଥିତିରେ କଂଗ୍ରେସର ବିଧାୟକ ମାନେ ବିଜେପିରେ ସାମିଲ ହେବା ପରେ କଂଗ୍ରେସ ପାଖରେ କେବଳ ୩ଟି ଆସନ ରହିଛି। ଅନ୍ୟପକ୍ଷରେ ବିଜେପିର ବିଧାନସଭା ଆସନ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋ, ଡି ଲୋବୋ, ରାଜେଶ ଫାଲଦେସାଇ, କେଦାର ନାୟକ, ସଙ୍କଳ୍ପ ଆମୋନକର, ଆଲେକ୍ସୋ ସେକିରା କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି।