ବିହାର ୧୨ କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟ, ଏଠାରେ ଦୁଷ୍କର୍ମ କୌଣସି ବଡ଼ କଥା ନୁହେଁ : ଜିତନ ରାମ ମାଂଝୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରର ହାଜିପୁରରେ ନାବାଳିକା ଦୁଷ୍କର୍ମ ଘଟଣା ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ ଏକ ବିବାଦୀୟ ବୟାନ ଦେଇଛନ୍ତି। ପାଟନାରେ ଜିତନ ରାମ ମାଂଝୀ କହିଛନ୍ତି ଯେ, ବିହାର ଏକ ବଡ ରାଜ୍ୟ, ଦୁଷ୍କର୍ମ ଭଳି ଘଟଣା ଘଟେ। ଏହି ଘଟଣାରେ ବିଜେପି ନୀତିଶ ସରକାରଙ୍କୁ ଟାର୍ଗେଟ କରୁଛି। ବିଜେପିର ଟାର୍ଗେଟ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ ନୀତିଶ ସରକାରଙ୍କୁ ଘଣ୍ଟ ଘୋଡାଇବାକୁ ଯାଇ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ବିହାରର ଜନସଂଖ୍ୟା ଅଧା କୋଟି କିମ୍ବା ୧ କୋଟି ନୁହେଁ। ଏଠାରେ ସମୁଦାୟ ଜନସଂଖ୍ୟା ୧୨ କୋଟି। ଏତେ ଅଧିକ ଜନସଂଖ୍ଯା ବିଶିଷ୍ଟ ରାଜ୍ଯରେ ଦୁଷ୍କର୍ମ କୌଣସି ବଡ଼ କଥା ନୁହେଁ । ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଏଭଳି ଘଟଣା ଘଟୁଛି ସେତେବେଳେ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ପଡ଼ିବ।

ଜିତନ ରାମ କହିଛନ୍ତି ଯେ, ଯେତେବେଳେ ଅଧିକ ବାସନ ହୋଇଯାଏ, ସେଗୁଡ଼ିକ ଶବ୍ଦ କରିଥାନ୍ତି। ଏଭଳି ଘଟଣାକୁ ନେଇ ସରକାରଙ୍କୁ ବଦନାମ କରିବା ପାଇଁ ଏକ ଷଡଯନ୍ତ୍ର କରାଯାଉଛି। ବିହାରରେ ଆଇନ ଶୃଙ୍ଖଳାରେ କୌଣସି ପ୍ରକାର ସାଲିସ ନାହିଁ। ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରୁଛନ୍ତି ନୀତିଶ ସରକାର। ନିରୀହ ଲୋକଙ୍କୁ ହଇରାଣ ନ କରିବା ଓ କୌଣସି ଅପରାଧୀଙ୍କୁ ରକ୍ଷା ନକରିବା ଏହି ସରକାରଙ୍କ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

Related Posts