ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମାରିନ୍ଦର୍ ସିଂହ ନିଜ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପିରେ ବିଲୟ କରିବାକୁ ଯାଉଛନ୍ତି। ଏହା ସହିତ ସେ ମଧ୍ୟ ବିଜେପିରେ ସାମିଲ ହେବେ। ମିଳିଥିବା ସୂଚନା ଅନୁସାରେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ସେ ନିଜ ସମର୍ଥକ ମାନଙ୍କ ଗହଣରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତି ରେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବେ। ତାଙ୍କ ସହ ପଞ୍ଜାବର ୬ ରୁ ୭ ଜଣ ପୂର୍ବତନ ବିଧାୟକ, ତାଙ୍କ ପୁଅ ଇନ୍ଦର୍ ସିଂହ, ଝିଅ ଇନ୍ଦର କୌର ଓ ନାତି ନିର୍ବାଣ ସିଂହ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବେ। ଏହି ମିଶ୍ରଣପର୍ବ ପାଇଁ ତାଙ୍କ ସମର୍ଥକ ମାନେ ଏବେଠାରୁ ଦିଲ୍ଲୀ ପହଞ୍ଚିବା ଆରମ୍ଭ କରିଥିବା ମଧ୍ୟ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, କ୍ୟାପଟେନ ଅମାରିନ୍ଦର୍ ସିଂହ ପଞ୍ଜାବର ପୂର୍ବ କଂଗ୍ରେସ ସରକାର ସମୟରେ ମୁଖ୍ୟମନ୍ତ୍ରୀ ଥିଲେ। ହେଲେ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଥିଲା। ଏଥିରେ କ୍ଷୁବ୍ଧ ହୋଇ ସେ କଂଗ୍ରେସ ଛାଡିଥିଲେ ଓ ନିଜ ଦଳ ପଞ୍ଜାବ ଲୋକ କଂଗ୍ରେସ ଗଠନ କରିଥିଲେ। ନିକଟରେ ସାରିଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିଜେପି ସହ ମେଣ୍ଟ କରି ନିର୍ବାଚନ ମଧ୍ୟ ଲଢ଼ିଥିଲା। ହେଲେ ଏଥିରେ ସେ ବିଫଳ ହୋଇଥିଲେ। ଏହାପରେ ତାଙ୍କ ଦଳକୁ ବିଜେପିରେ ବିଲୟ କରି ସେ ଉପ ରାଷ୍ଟ୍ରପତି ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ହେଲେ ସେଭଳି କିଛି ଘଟି ନଥିବା ବେଳେ ଆସନ୍ତା ୧୯ ତାରିଖ ରେ ତାଙ୍କ ଦଳ ବିଜେପିରେ ବିଲୟ ହେବ ବୋଲି ସୂଚନା ମିଳିଛି।





