ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୋଆ ରାଜନୀତିର ପ୍ରଭାବ ଆସାମରେ ଦେଖିବାକୁ ମିଳିଛି। ଗୋଆରେ ୮ ଜଣ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜର ସ୍ପଷ୍ଟୀକରଣ ରଖିଛନ୍ତି। ହିମନ୍ତ କହିଛନ୍ତି ଯେ, ଗୋଆରେ ଯେଉଁ କଂଗ୍ରେସ ବିଧାୟକମାନେ ବିଜେପିରେ ସାମିଲ ହୋଇଛନ୍ତି ତାହା ପଛରେ ମୋର ହାତ ନାହିଁ। ତେବେ ଦୁଇଦିନ ତଳେ ଗୋଆରେ ହୋଇଥିବା ରାଜନୈତିକ ପଟ୍ଟପରିବର୍ତ୍ତନ ପାଇଁ କଂଗ୍ରେସ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଥିଲା। ପୂରା ଘଟଣାକ୍ରମ ପଛରେ ହିମନ୍ତ ବିଶ୍ୱ ଶର୍ମାଙ୍କ ହାତ ଥିବା କଂଗ୍ରେସ ସନ୍ଦେହ କରିଛି। ତେବେ ଏହାର ଜବାବ ରଖିଛନ୍ତି ହିମନ୍ତ। ସେ କହିଛନ୍ତି ଯେ, ଯଦି ଆପଣ ରାଜନୀତି କରିବାକୁ ଚାହୁଁଛନ୍ତି ତେବେ ଲୋକଙ୍କ ଆଶୀର୍ବାଦ ନେଇ ରାଜନୀତି କରନ୍ତୁ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସର୍ବଦା ‘ଲୋକମାନଙ୍କ ଦ୍ୱରା’ ସର୍ବମାନ୍ୟ।
ସେ ଆହୁରି କହିଛନ୍ତି ଯେ, ମୁଁ ବୁଝିପାରୁ ନାହିଁ କଂଗ୍ରେସ ମୋତେ କାହିଁକି ଦାୟୀ କରୁଛି। ମୋର ଗୋଆ ଘଟଣାକ୍ରମରେ କୌଣସି ଭୂମିକା ନାହିଁ। ମୁଁ ରାଜନୈତିକ ଭାବେ ଗୋଆ ଗସ୍ତ ମଧ୍ୟ କରି ନାହିଁ। ତେବେ ସମସ୍ତ କଂଗ୍ରେସ ସଦସ୍ୟଙ୍କୁ ବିଜେପି ୩୦ କୋଟି ଟାଙ୍କା ଲେଖାଁଏ ଲାଞ୍ଚ ଦେଇଥିବା କଂଗ୍ରେସ ଆଣିଥିବା ଅଭିଯୋଗ ଉପରେ ଜବାବ ରଖିଛନ୍ତି ହିମନ୍ତ। ସେ କହିଛନ୍ତି ଯେ, ମୁଁ ଜାଣି ନାହିଁ କଂଗ୍ରେସ କାହିଁ କି ମୋ ବିରୋଧରେ ଏମିତି ଅଭିଯୋଗ ଆଣୁଛି। ଏହା ସମ୍ପୂର୍ଣ୍ଣ ଅମୂଳକ ବୋଲି ସେ କହିଛନ୍ତି ।
ସସୂଚନାଯୋଗ୍ୟ ଯେ, ଗତ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ କଂଗ୍ରେସର ୮ ବିଧାୟକ ହାତଛାଡ଼ି ପଦ୍ମ ଧରିଛନ୍ତି। ଗୋଆର ୪୦ ବିଧାନସଭା ଆସନରୁ ବିଜେପି ପାଖରେ ମୋଟ୍ ୨୦ଟି ଆସନ ରହିଥିବା ବେଳେ କଂଗ୍ରେସ ହାତରେ ୧୧ଟି ଆସନ ରହିଥିଲା। ସେହିପରି ୯ଟି ଆସନ ଅନ୍ୟାନ୍ୟ ଦଳଙ୍କ ପାଖରେ ରହିଛି। ଏପରି ପରିସ୍ଥିତିରେ କଂଗ୍ରେସର ବିଧାୟକ ମାନେ ବିଜେପିରେ ସାମିଲ ହେବା ପରେ କଂଗ୍ରେସ ହାତରେ କେବଳ ୩ଟି ଆସନ ରହିଛି। ଅନ୍ୟପକ୍ଷରେ ବିଜେପିର ବିଧାନସଭା ଆସନ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋ, ଡି ଲୋବୋ, ରାଜେଶ ଫାଲଦେସାଇ, କେଦାର ନାୟକ, ସଙ୍କଳ୍ପ ଆମୋନକର, ଆଲେକ୍ସୋ ସେକିରା କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ।





