ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା; ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହେଲେ ଶିବସେନାର ୧୨ଟି ରାଜ୍ୟର ଅଧକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା ଲାଗିଛି। ଶିବସେନାର ଶାଖା ଥିବା ୧୫ଟି ରାଜ୍ୟ ମଧ୍ୟରୁ ୧୨ଟି ରାଜ୍ୟର ଶିବସେନା ଅଧ୍ୟକ୍ଷ ଏକନାଥ ସିନ୍ଦେଙ୍କ ଦଳରେ ଯୋଗ ଦେଇଛନ୍ତି। ଶିବସେନା ଦଳରେ ବିଦ୍ରୋହ ପରେ ଅନେକ ବିଧାୟକ ଉଦ୍ଧବଙ୍କ ହାତ ଛାଡ଼ି ସିନ୍ଦେ ଦଳରେ ଯୋଗ ଦେଇଥିଲେ, ଏହା ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଜୁନ ୩୦ରେ, ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହି କ୍ରମରେ ଗୁରୁବାର ଦିନ ୧୨ଟି ରାଜ୍ୟର ଶିବସେନା ଅଧ୍ୟକ୍ଷ ମାନେ ଉଦ୍ଧବଙ୍କ ହାତ ଛାଡ଼ି ସିନ୍ଦେଙ୍କ ଦଳରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ରାଜ୍ୟ ମୁଖ୍ୟମାନଙ୍କୁ ନିଜ ରାଜ୍ୟରେ ଦଳର ବିକାଶ ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଦେବାନେଇ ନିଶ୍ଚିତ କରିଛନ୍ତି।

ଏକନାଥ ସିନ୍ଦେ ଦଳରେ ଯୋଗଦେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଦିଲ୍ଲୀ ଶିବସେନା ରାଜ୍ୟ ମୁଖ୍ୟ ସନ୍ଦୀପ ଚୌଧରୀ, ମଣିପୁର ମୁଖ୍ୟ ତୋମ୍ବି ସିଂ, ମଧ୍ୟପ୍ରଦେଶ ମୁଖ୍ୟ ଥଡେଶ୍ୱର ମହୱାର, ଛତିଶଗଡ ମୁଖ୍ୟ ଧନଞ୍ଜୟ ପରିହାର, ଗୁଜୁରାଟର ମୁଖ୍ୟ ଏସ. ଆର. ପାଟିଲ, ରାଜସ୍ଥାନ ମୁଖ୍ୟ ଲଖନ ସିଂ ପାୱାର ପ୍ରମୁଖ ରହିଛନ୍ତି। ଏମାନଙ୍କ ବ୍ୟତୀତ ହାଇଦ୍ରାବାଦ ମୁଖ୍ୟ ମୁରାରୀ ଆନ୍ନା, ଗୋଆ ମୁଖ୍ୟ ଜିତେଶ କାମତ, କର୍ଣ୍ଣାଟକ ମୁଖ୍ୟ କୁମାର ଏ ହକରୀ, ପଶ୍ଚିମବଙ୍ଗର ମୁଖ୍ୟ ଶାନ୍ତି ଦତ୍ତ, ଓଡ଼ିଶା ରାଜ୍ୟ ଦାୟିତ୍ୱରେ ଥିବା ଜ୍ୟୋତିଶ୍ରୀ ପ୍ରସନ୍ନ କୁମାର, ତ୍ରିପୁରା ରାଜ୍ୟ ଦାୟିତ୍ୱରେ ଥିବା ବାରୀଭଦେବ ନାଥ ଏଥିରେ ସାମିଲ ହୋଇଛନ୍ତି।

Related Posts