ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ବସୁଥିବା ସମସ୍ତ ଗୋରୁ ହାଟ ଗୁଡ଼ିକୁ ଆଜିଠାରୁ ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ରାଜ୍ୟକୁ ବାହାର ରାଜ୍ୟରୁ ଆସୁଥିବା ଗାଈ-ଗୋରୁ ବ୍ୟବସାୟ ଉପରେ ମଧ୍ୟ କଟକଣା ଜାରି ହୋଇଛି । ପଡ଼ୋଶୀ ରାଜ୍ୟ ସମେତ ଦେଶର କିଛି ରାଜ୍ୟରେ ଗୋରୁଗାଈଙ୍କ ମଧ୍ୟରେ ଲମ୍ପି ସ୍କିନ୍ (ଚର୍ମବିଣ୍ଡି) ରୋଗ ବ୍ୟାପୁଥିବାରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସର୍ତକତାମୂଳକ ପଦକ୍ଷେପ ନିଆଯାଇଥିବା ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ପଡ଼ୋଶୀ ରାଜ୍ୟଗୁଡ଼ିକରେ ଗୋମହିଷାଦିଙ୍କ ମଧ୍ୟରେ ଚର୍ମବିଣ୍ଡି ରୋଗ ବ୍ୟାପିବାରେ ଲାଗିଛି । ଓଡ଼ିଶାରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ପ୍ରାଣୀଙ୍କ ମଧ୍ୟରେ ଲମ୍ପି ସ୍କିନ୍ ଚିହ୍ନଟ ହୋଇନି । ତେବେ ପଡୋଶୀ ରାଜ୍ୟ ଗୁଡ଼ିକର ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ ନିମନ୍ତେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାରେ ଏନେଇ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଗତ ୧୨ ତାରିଖରେ ବିଭାଗ ପକ୍ଷରୁ ୧୪ଟି ସୀମାବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ରୋଗ ପ୍ରତିରୋଧ ନିମନ୍ତେ ମାର୍ଗଦର୍ଶିକା ଜାରି ହୋଇଥିବା ସୂଚନା ମିଳିଛି।

ଏନେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହୁରି କହିଛନ୍ତି ଯେ, ରାଜ୍ୟର ସମସ୍ତ ସୀମାନ୍ତ ଜିଲ୍ଲାଗୁଡ଼ିକର ପଶୁସମ୍ପଦ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି । ପ୍ରଭାବିତ ପଡ଼ୋଶୀ ରାଜ୍ୟର ପ୍ରାଣସମ୍ପଦ ବିଭାଗର ସଚିବମାନଙ୍କ ସହ ନିୟମିତ ଯୋଗାଯୋଗ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଲମ୍ପି ସ୍କିନ ଚିହ୍ନଟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୂପ ସତର୍କତା ଜାରି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।