ନୂଆଦିଲ୍ଲୀ: ଲଣ୍ଡନ ଗସ୍ତରେ ଥିବା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୱେଷ୍ଟମିନିଷ୍ଟର ହଲରେ ପହଞ୍ଚି ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଠାରେ ଅନ୍ତିମ ସଂସ୍କାର ପାଇଁ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ ପାର୍ଥିବ ଶରୀରକୁ ରଖାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତବାୟୀଙ୍କ ତରଫରୁ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ପୂର୍ବରୁ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଲଣ୍ଡନ ପହଞ୍ଚିଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନର ୱେଷ୍ଟମିନିଷ୍ଟର ହଲରେ ପହଞ୍ଚି ସେଠାରେ ଏଲିଜାବେଥ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ଲଣ୍ଡନର ଲ୍ୟାଙ୍କେଷ୍ଟର ହାଉସ ପହଞ୍ଚିଥିଲେ। ଲ୍ୟାଙ୍କେଷ୍ଟର ହାଉସରେ ଦ୍ରୌପଦୀ ମୁର୍ମୁ ମହାରାଣୀଙ୍କ ଶୋକ ପୁସ୍ତକରେ ହସ୍ତାକ୍ଷର କରିଥିଲେ । ରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ୱର 8ରେ ମହାରାଣା ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ହୋଇଥିଲା।
