
ଭୁଅନେଶ୍ଵର ( ସତ୍ୟପାଠ ବ୍ୟୁରୋ ): କିଛି ସମୟ ମଧ୍ୟରେ ହେବ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର। ରାଜକୀୟ ଅନ୍ତିମ ସଂସ୍କାର ପାଇଁ ତାଙ୍କ କଫିନ ଲଣ୍ଡନର ୱେଷ୍ଟମିନଷ୍ଟର ଆବେ ବାହାରେ ପହଞ୍ଚିସାରିଛି । ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନର ସହ ତାଙ୍କର ଶେଷକୃତ୍ୟ ହେବ । ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ରାଜା ସାମିଲ ହୋଇଛନ୍ତି ।୫ଶହରୁ ଅଧିକ ରାଷ୍ଟ୍ରମୁଖ୍ୟ ତଥା ରାଜପରିବାର ଏହି ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି ।
୭୦ ବର୍ଷ ଧରି ରାଜଗାଦିରେ ବିରାଜମାନ ହୋଇଥିଲେ ମହାରାଣୀ ଏଲିଜାବେଥ ଦ୍ୱିତୀୟ । ସେପ୍ଟେମ୍ବର ୮ ତାରିଖରେ ବାଲମୋରାଲ କ୍ୟାସେଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୯୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ତେବେ ଶେଷ ଯାତ୍ରା ପୂର୍ବରୁ ଅନୁଷ୍ଠିତ ସଭାରେ କ୍ୟାଣ୍ଟରବରୀର ଆର୍ଚ୍ଚ ବିଶପ କହିଛନ୍ତି ବହୁତ କମ ନେତା ଏଭଳି ରହିଛନ୍ତି ଯେଉଁମାନଙ୍କୁ ଏତେ ଭଲ ପାଇବା ମିଳିଛି । ଦିବଙ୍ଗତ ମହାରାଣୀ ସମସ୍ତଙ୍କ ପାଇଁ ଅନେକ ଉଦାହରଣ ସୃଷ୍ଟି କରିଛନ୍ତି ।