ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକରେ ଦୀର୍ଘ ୩ବର୍ଷ ହେଲା ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ। କଲେଜ କ୍ୟାମ୍ପସ ଗୁଡିକରେ ଆଉ ନିର୍ବାଚନ ହେଉନି କି ବଛା ହେଉନାହାନ୍ତି ଛାତ୍ର ନେତା। ଏବେ ଛାତ୍ର ସଂସଦ ନିର୍ବାଚନର ବିକଳ୍ପ ଭାବରେ ଗଠନ ହେଉଛି ଦଳୀୟ କମିଟି । ଆଉ ଏଥିପାଇଁ ପୂଜାପୂର୍ବରୁ ଶିକ୍ଷାନୁଷ୍ଠାନ ଗୁଡିକରେ ବାତାବରଣ ମଧ୍ୟ ସରଗରମ ହୋଇଛି ।
ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକରେ କ୍ୟାମ୍ପସ କମିଟି ଗଠନ କରିବାକୁ ଘୋଷଣା କରିଛି ବିଜୁ ଛାତ୍ର ଜନତା ଦଳ । ସବୁ କ୍ୟାମ୍ପସରେ ୨୬ ଜଣିଆ କମିଟି ଗଠନ କରୁଛି ଦଳ। ଏହି କମିଟିରେ ବିଭିନ୍ନ ପଦରେ ଛାତ୍ରଛାତ୍ରୀଙ୍କୁ ରଖାଯାଉଛି । ଜଣେ ନିର୍ବାଚିତ ପ୍ରତିନିଧି ଯେଉଁ କାମ କରୁଥିଲେ, ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟିରେ ରହିଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ସମାନ କାମ କରିବେ ।ଅର୍ଥାତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ପିଲାଙ୍କ ନିକଟରେ ପହଞ୍ଚାଇବା ସହ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ବୁଝିବ ଏହି କ୍ୟାମ୍ପସ କମଟି ।
ସେପଟେ ପଛରେ ପଡିନାହାନ୍ତି ବିରୋଧୀ ଛାତ୍ର କଂଗ୍ରେସ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ଉଭୟ ସଙ୍ଗଠନ କ୍ୟାମ୍ପସ ୟୁନିଟ ଗଠନ କରି ଛାତ୍ରଛାତ୍ରୀଙ୍କ ସମସ୍ୟାରେ ଭାଗିଦାର ହୋଇ ସମସ୍ୟାର ସମାଧାନ ପାଇଁ ଯୋଜନା ପ୍ରସୁତ କରିଛନ୍ତି । ଏନେଇ ଛାତ୍ର କଂଗ୍ରେସ କହିଛି ଯେ, କ୍ୟାମ୍ପସରେ ଶିକ୍ଷକ ପଦ ପୂରଣ , ନିଶାମୁକ୍ତ କ୍ୟାମ୍ପସ ଓ ଶିକ୍ଷାର ବାତବାରଣ ସୃଷ୍ଟି କରିବା ପାଇଁ ଏହି କ୍ୟାମ୍ପସ କମିଟି କାମ କରିବ । ସେପଟେ ଏବିଭିପି ବର୍ତ୍ତମାନ ନିଜର ସଦସ୍ୟ ସଂଗ୍ରହ ଅଭିଯାନ ଜାରିରଖିଛି । ଆଉ ଖୁବଶୀଘ୍ର କ୍ୟାମ୍ପସ ୟୁନିଟ ଗଠନ କରି ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିବ ବୋଲି କହିଛି।
ଅନ୍ୟପକ୍ଷରେ ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ଉଭୟ ଛାତ୍ର କଂଗ୍ରେସ ଓ ଏବିଭିପି ବିରୋଧ କରିଛନ୍ତି । ବିଜୁ ଛାତ୍ର ଜନତା ଦଳ କଲେଜ ନିର୍ବାଚନ ହାରିବା ଭୟରେ କ୍ୟାମ୍ପସ ଇଲେକ୍ସନ କରୁନାହିଁ ବୋଲି ଉଭୟ ଅଭିଯୋଗ କରିଛନ୍ତି। ତେବେ ଆଗାମୀ ବର୍ଷ ଗୁଡିକରେ ଆଉ ଛାତ୍ର ସଂସଦ ନିର୍ବାଚନ ହେଉଛି କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି ।





