ପଶ୍ଚିମ ଓଡିଶା ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଆଗକୁ ଓଡିଶା ଦୁଇଫାଳ ହେବ: ନରସିଂହ ମିଶ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଓ ଅବହେଳା କାରଣରୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ଜୋରଦାର ହେଉଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ, ବ୍ୟକ୍ତିଗତ ଭାବେ ଏକ ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି ପ୍ରତି ମୋର ସମର୍ଥନ ନାହିଁ। ତେବେ ବର୍ତ୍ତମାନ ସ୍ଥିତିରେ ପଶ୍ଚିମ ଓଡିଶା ପ୍ରତି ଏହିଭଳି ବୈମାତୃକ ମନୋଭାବ ବଜାୟ ରହିଲେ ଆଗକୁ ଓଡିଶା ଦୁଇଫାଳ ହେବା ସୁନିଶ୍ଚିତ। ଏଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ସେ କହିଛନ୍ତି।

ନରସିଂହ ମିଶ୍ର ମଙ୍ଗଳବାର ଦିନ ବଲାଙ୍ଗୀର ସର୍କିଟ ହାଉସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆହୁରି କହିଛନ୍ତି ଯେ, ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, କୃଷିର ବିକାଶରେ ବଲାଙ୍ଗୀର ଓ ପଶ୍ଚିମ ଓଡିଶା ବହୁ ପଛରେ ପଡିଛି। ଉପକୂଳ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ପାଇଁ ହଜାର କୋଟି ଖର୍ଚ୍ଚ ହେଉଥିବାବେଳେ ଆମ ଅଞ୍ଚଳର ଛୋଟ ପ୍ରକଳ୍ପଟିଏ ପାଇଁ ମଧ୍ୟ ଲୋକଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡୁଛି। ଲୋକଙ୍କ ଦାବିକୁ ସରକାର ଗୁରୁତ୍ୱ ଦେଉନାହାନ୍ତି। ବଲାଙ୍ଗୀରରେ ହେଉଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସରକାରୀ ନିୟମକୁ ଉଲ୍ଲଂଘନ କରାଯାଇ ଲୋକ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରାଯାଉ ନଥିବା ସେ ଅଭିଯୋଗ କରିଛନ୍ତି।

Related Posts