ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ସରକାର ସଂସଦୀୟ ପରମ୍ପରାର ପାଳନ କରୁ ନାହାନ୍ତି ବୋଲି କଂଗ୍ରେସ ପକ୍ଷରୁ ଶନିବାର ଅଭିଯୋଗ କରାଯାଇଛି। ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖାଯାଇଛି। ସ୍ବରାଷ୍ଟ୍ର, ବହିର୍ବ୍ୟାପାର, ପ୍ରତିରକ୍ଷା ଏବଂ ଅର୍ଥ ବିଭାଗ ଭଳି ଚାରିଟି ପ୍ରମୁଖ କମିଟିରୁ ଅନ୍ତତଃ ପକ୍ଷେ ଗୋଟିଏ କମିଟିର ଅଧ୍ୟକ୍ଷତା କଂଗ୍ରେସକୁ ଦିଆଯାଉ ବୋଲି ଦାବି କରାଯାଇଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଲେଖିଥିବା ଚିଠିରେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ସଂସଦୀୟ କମିଟିକୁ ଏକ ନାଟକରେ ପରିଣତ କରିଛନ୍ତି। ସରକାର ନିଜ କାର୍ଯ୍ୟକୁ ଗମ୍ଭୀରତାର ସହ ନେବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଚିଠିରେ ଦର୍ଶାଯାଇଛି। କମିଟି ଗୁଡ଼ିକର ପୁନର୍ଗଠନରେ ମୁଖ୍ୟ ବିରୋଧୀ ଦଳର ଭୂମିକାକୁ ଅଣଦେଖା କରାଯାଉଛି ଏବଂ ସଂସଦରେ ଏହାର ଗୁରୁତ୍ୱ ହ୍ରାସ କରିବାକୁ ଉଦ୍ୟମ କରାଯାଉଛି ବୋଲି ଚିଠିରେ ସେ ଉଲ୍ଲେଖ କରିଛନ୍ତି।
ଚିଠିରେ ସେ ଆହୁରି କହିଛନ୍ତି ଯେ, ସରକାର ଆଇଟି ଉପରେ କମିଟି ନିଜେ ରଖିବାକୁ ଚାହୁଁଥିବାବେଳେ ସଂସଦର ଗୁରୁତ୍ୱପୂର୍ଣ୍ଣ କମିଟିରେ ପ୍ରମୁଖ ବିରୋଧୀ ଦଳମାନଙ୍କୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାର ଏକ ପରମ୍ପରା ରହିଛି। ସେ କହିଛନ୍ତି ଯେ ୧୬ ତମ ଲୋକସଭାରେ ମଧ୍ୟ ଗୃହ, ବହିର୍ବ୍ୟାପାର, ପ୍ରତିରକ୍ଷା ଏବଂ ଅର୍ଥ ମନ୍ତ୍ରଣାଳୟ ଭଳି ତିନୋଟି ଗୁରୁତ୍ବପୂର୍ଣ୍ଣ କମିଟି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାଖରେ ଥିଲା। ସେତେବେଳେ କଂଗ୍ରେସର ୪୪ ଜଣ ସାଂସଦ ଥିଲେ। କିନ୍ତୁ ଏଥର ଏହି ତିନୋଟି କମିଟି ସେମାନଙ୍କଠାରୁ ଛଡ଼ାଇ ନିଆଯାଇଛି ଏବଂ ବର୍ତ୍ତମାନ ସରକାର ଆଇଟି କମିଟିକୁ ନିଜ ପାଖରେ ରଖିବାକୁ ଯାଉଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ସଂସଦର ଗଣତାନ୍ତ୍ରିକ ପରମ୍ପରା ପ୍ରତି ପରିହାସ ହେବା ଆରମ୍ଭ ହୋଇଛି। ସରକାରଙ୍କ ପଦକ୍ଷେପ ଗଣତନ୍ତ୍ରର ସ୍ବାର୍ଥରେ ନାହିଁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।
