ଥାଇଲାଣ୍ଡରେ ଆକର୍ଷଣୀୟ ଚାକିରୀ ଦେବା ନାଁରେ ଠକେଇ, ସତର୍କ କରାଇଲା ବୈଦେଶିକ ମନ୍ତ୍ରଣାଳୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଥାଇଲାଣ୍ଡରେ ଆଇଟି ସେକ୍ଟରରେ ଆକର୍ଷଣୀୟ ଚାକିରୀ ଦେବା ନାଁରେ ଭାରତୀୟ ଯୁବକଙ୍କୁ ଠକିବାକୁ ପ୍ରୟାସ କରାଯାଉଛି । ଶନିବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହା ଉପରେ ସତର୍କ ରହିବାକୁ କୁହାଯାଇଛି । କିଛି ଦିନ ତଳେ ମିଆଁମାରରେ ଫଶିଥିବା ଜଣେ ଭାରତୀୟ ଯୁବକଙ୍କ ଭିଡିଓ ସାମନାକୁ ଆସିବା ପରେ ସରକାରଙ୍କ ପକ୍ଷରୁ ଏହି ପରାମର୍ଶ ଜାରି କରାଯାଇଛି ।ବୈଦେଶିକ ମନ୍ତ୍ରଣାଳୟ କହିଛି, ସୋସିଆଲ ମିଡିଆ ବିଜ୍ଞାପନ ମାଧ୍ୟମରେ ଏବଂ ଦୁବାଇ ଏବଂ ଭାରତ ସ୍ଥିତ ଏଜେଣ୍ଟଙ୍କ ଦ୍ୱାରା ଥାଇଲାଣ୍ଡରେ ଚାକିରୀର ଲୋଭନୀୟ ଅଫର ଦିଆଯାଇ ଆଇଟି ସେକ୍ଟର ସହ ଜଡିତ ଯୁବକଙ୍କୁ ଠକାଯାଉଛି । ବୈଦେଶିକ ମନ୍ତ୍ରଣାଳୟ ନିଜର ବୟାନରେ କହିଛି ଯେ, କଲ-ସେଣ୍ଟର ଘୋଟାଲା ଏବଂ କ୍ରିପ୍ଟୋ କରେନ୍ସି ଜାଲିଆତିରେ ସାମିଲ ସନ୍ଦିଗ୍ଧ ଆଇଟି କମ୍ପାନି ଗୁଡିକ ଯୁବକଙ୍କୁ ଠକୁଛନ୍ତି । ଥାଇଲାଣ୍ଡରେ ଡିଜିଟାଲ ସେଲ୍ସ ଆଣ୍ଡ ମାର୍କେଟିଂ ଏକ୍ସକ୍ୟୁଟିଭ ପଦରେ ନିଯୁକ୍ତି ଦେବାର ଅଫର ଦେବାର ଖବର ନଜରକୁ ଆସିଛି।

ମନ୍ତ୍ରଣାଳୟର ସୂଚନା ଅନସାରେ, ଏହି ରାକେଟର ସାମିଲ ଲୋକେ ପୀଡିତଙ୍କୁ କଥିତ ରୂପେ ସୀମା ଆରପଟେ ଅବୈଧ ଭାବେ ମିଆଁମାର ନେଇ ଯାଉଛନ୍ତି ଏବଂ ସେଠାରେ ବନ୍ଦୀ କରି ସେମାନଙ୍କୁ କଠିନ ଏବଂ ବିପଦଜନକ ଅବସ୍ଥାରେ କାମ କରିବାକୁ ବାଧ୍ୟ କରାଯାଉଛି । ତେଣୁ ଏହିପରି କୌଣସି ଲୋଭନୀୟ ପ୍ରସ୍ତାବରେ ନ ଫଶିବା ପାଇଁ ମନ୍ତ୍ରଣାଳୟ ସତର୍କ କରାଇଛି ।

Related Posts