ବାଲିଗୁଡା: ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ରାଙ୍ଗାପାରୁ ଗାଁରେ ଥିବା ସରକାରୀ ବାଳିକା ଆବାସିକ ଉଚ୍ଚ ବିଦ୍ୟାଳୟରୁ ଆସିଛି ଏକ ଅଭାବନୀୟ ଘଟଣା । ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ଚାରି ମାସର ଗର୍ଭବତୀ ଥିବା ସୂଚନା ମିଳିଛି । ଏନେଇ ବେଲଘର ଥାନାରେ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ପୋଲିସ ଛାତ୍ରୀଙ୍କୁ ପଚରାଉଚୁରା କରିବାପରେ, ସେ ଜଣେ ଛାତ୍ରଙ୍କ ନାମ ପ୍ରକାଶ କରିଥିଲେ। ପରେ ବେଲଘର ପୋଲିସ ସନ୍ଦିଗ୍ଧ ଛାତ୍ରଙ୍କୁ ଅଟକ ରଖିଛି।

ତେବେ ଏନେଇ ପୋଲିସ ପାଖରେ କୌଣସି ପ୍ରକାରର ଠୋସ୍ ପ୍ରମାଣ ନଥିବା ହେତୁ ଉଭୟ ଛାତ୍ରଛାତ୍ରୀଙ୍କ ଡିଏନଏ ପରୀକ୍ଷା ପାଇଁ ବେଲଘର ଥାନାଧିକାରୀ ଦୀପକ ରାଉତ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଜ ହେପାଜତରେ ନେଇଥିଲେ। ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କ ଡାକ୍ତର ମାଇନା ସରିଛି। ବାଲିଗୁଡା ପୋଲିସ ଛାତ୍ରୀଙ୍କ ବୟାନ ରେକର୍ଡ କରି ତଦନ୍ତ ଜାରି ରଖିଛି l ଆବାସିକ ବିଦ୍ୟାଳୟରେ ଏହି ଲଜ୍ୟାଜନକ ଘଟଣା ଘଟିବାପରେ ଅଭିଭାବକମାନେ ଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଛାଡିବାକୁ ଅସୁରକ୍ଷିତ ମଣୁଛନ୍ତି ।