ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଜିଲ୍ଲା ୧୧ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ନିମାପଡ଼ାର ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ଆଜି କମିଶନରେଟ ପୁଲିସ ପଚରା ଉଚରା କରିଛି । ଧର୍ମେନ୍ଦ୍ର ଆତ୍ମହତ୍ୟାର ଠିକ ୨ ଘଣ୍ଟା ପୂର୍ବରୁ ସ୍ଥାନୀୟ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହ ଫୋନରେ କଥା ହୋଇଥିବା ନେଇ ଏକ ଅଡ଼ିଓ କଲ୍ ଭାଇରାଲ ହୋଇଥିଲା ।ଯେଉଁଥିରେ ମୃତକ ଧର୍ମେନ୍ଦ୍ର ସାହୁ ଅନେକ କଥା କହିଥିବା ସାମ୍ବାଦିକ ଅକ୍ଷୟ ନାୟକ ଯୁକ୍ତି ବାଢିଛନ୍ତି ।
ଏହି ମାମଲାକୁ କମିଶନରେଟ ପୁଲିସ ତଦନ୍ତ କରୁଥିବାବେଳେ, ଆଜି ଡିସିପି ଅଫିସରେ ହାଜର ହେବାକୁ ଅକ୍ଷୟଙ୍କୁ ପୁଲିସ ନୋଟିସ କରିଥିଲା । ସେପଟେ ନିର୍ଦ୍ଧିଷ୍ଟ ସମୟରେ ପହଞ୍ଚିଥିଲେ ସାମ୍ବାଦିକ ଅକ୍ଷୟ ନାୟକ । କମିଶନରେଟ ପୁଲିସର ଏକ ଟିମ୍ ୪ଘଣ୍ଟା ଧରି ଜେରା କରିଥିଲେ । ପରେ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ କମିଶନରେଟ ପୁଲିସ ଛାଡିଛି । କଲ ରେକର୍ଡ ସମ୍ପର୍କରେ ପଚରାଉଚରା କରାଯିବା ସହିତ ତାଙ୍କ ମୋବାଇଲକୁ ଜବତ କରାଯାଇଛି । କଲ ରେକର୍ଡ, ଧର୍ମେନ୍ଦ୍ରଙ୍କ ସହ ତାଙ୍କର ସମ୍ପର୍କ ନେଇ ପଚରାଉଚରା କରିଛି ପୋଲିସ । ଏହା ସହ ସୋସିଆଲ ମିଡିଆରେ କଣ ପାଇଁ ଅଡିଓକୁ ଭାଇରାଲ କରିଛନ୍ତି, ସେ ସମ୍ପର୍କରେ ମଧ୍ୟ ତଦନ୍ତ ହୋଇଛି। ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ନେଇ ଅକ୍ଷୟ କହିଛନ୍ତି । ଆବଶ୍ୟକ ପଡ଼ିଲେ ପୁଣି ଅକ୍ଷୟଙ୍କୁ ଜେରା କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ, ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଅକ୍ଷୟ ନାୟକଙ୍କ ସହ କଥା ହୋଇଥିବା ଅଡିଓ ଭାଇରାଲ ହୋଇଥିଲା । ଏହି ଅଡିଓରେ ଧର୍ମେନ୍ଦ୍ର ତାଙ୍କ ମୃତ୍ୟୁ ପାଇଁ କେଉଁମାନେ ଦାୟୀ ସେମାନଙ୍କ ନାମ ଅକ୍ଷୟଙ୍କୁ କହୁଥିବା ଶୁଣିବାକୁ ମିଳୁଛି। ତେବେ ଏହି ନାମ ଗୁଡ଼ିକ ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନାମ ମଧ୍ୟ ରହିଛି। ଯାହାକୁ ନେଇ ବିରୋଧି ଦଳ ମାନେ ଏହି ଘଟଣାରେ ସମୀରଙ୍କ ସଂପୃକ୍ତି ଅଭିଯୋଗ ଆଣି ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି। l