ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗର ଜେଲରେ ହିନ୍ଦୁ ଓ ମୁସଲମାନ କଏଦୀ ଏକାଠି ନଅଦିନ ବ୍ୟାପୀ ନବରାତ୍ରି ଉପବାସ କରୁଛନ୍ତି । ସାମ୍ପ୍ରଦାୟିକ ସଦ୍ଭାବର ଏକ ବିରଳ ଘଟଣା ଏଠି ଦେଖିବାକୁ ମିଳିଛି। ଯେଉଁଠି ଈଶନିନ୍ଦା ନାଁରେ ଦେଶର ଆଇନକାନୁନକୁ ଭୁଲି ଜଣେ ଦରଜିର ମୁଣ୍ଡକାଟ କରାଯାଇପାରେ ସେଠି ଗୋଟିଏ ଜେଲର ଅନ୍ତେବାସୀ ହିନ୍ଦୁ ଓ ମୁସଲମାନ ଏକାଠି ନଅଦିନ ବ୍ୟାପୀ ନବରାତ୍ରି ଉପବାସ ପାଳନ କରୁଛନ୍ତି।
ନବରାତ୍ରି ଉପବାସ କରି କେବଳ ମୁସଲମାନ କଏଦୀ ତାଙ୍କର ମହାନତା ଦେଖାଇ ନାହାନ୍ତି, ଏହା ପୂର୍ବରୁ ହିନ୍ଦୁ କଏଦୀ ବି ରମଜାନ ମାସରେ ରୋଜା ପାଳନ କରିଥିଲେ।
ମୁଜାଫରନଗର ଜେଲ ଅଧୀକ୍ଷକ ସୀତାରାମ ଶର୍ମାଙ୍କ କହିବା ଅନୁସାରେ ଜେଲର ପ୍ରାୟ ୩,୦୦୦ ଅନ୍ତେବାସୀଙ୍କ ମଧ୍ୟରୁ ୧,୧୦୦ ହିନ୍ଦୁ ଓ ୨୧୮ ମୁସଲମାନ ବର୍ତ୍ତମାନ ନବରାତ୍ରି ଉପବାସ ପାଳନ କରୁଛନ୍ତି। ଏହି ବ୍ରତଧାରୀଙ୍କ ପାଇଁ ଜେଲ ପକ୍ଷରୁ ସ୍ବତନ୍ତ୍ର ଖାଦ୍ୟ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ପ୍ରକାର ଫଳ, କ୍ଷୀର, ପୁରି ଓ ଚା ସେମାନଙ୍କୁ କ୍ୟାଣ୍ଟିନରେ ଯୋଗାଇ ଦିଆଯାଉଛି। ଜଣେ ମୁସଲମାନ କଏଦୀ କହିଛନ୍ତି ଯେ ସେ ନବରାତ୍ରି ଉପବାସ ପାଳନ କରି ବେଶ୍ ଖୁସି ଅନୁଭବ କରୁଛନ୍ତି। ସେ କହିଛନ୍ତି, ଯଦି ହିନ୍ଦୁମାନେ ରମଜାନରେ ରୋଜା ପାଳିପାରୁଛନ୍ତି, ଆମେ କାହିଁକି ନବରାତ୍ରି ପାଳିପାରିବୁନି ।
