ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗାଈକୁ ଜାତୀୟ ପଶୁ ଘୋଷଣା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଷ୍ଟାଣ୍ଡ ପରେ ଆବେଦନକାରୀ ଏହି ଆବେଦନ ପ୍ରତ୍ୟାହାର କରିଛନ୍ତି। ଏହା କୋର୍ଟର କାମ କି? ଏହା ଦ୍ୱାରା କାହାର ମୌଳିକ ଅଧିକାର ଉଲ୍ଲଂଘନ ହେଉଛି ବୋଲି ଆବେଦନକାରୀଙ୍କ ଓକିଲଙ୍କୁ ପଚାରିଥିଲେ ଜଷ୍ଟିସ ସଞ୍ଜୟ କିଶାନ କୌଲ। ଆବେଦନ ଶୁଣାଣି ସମୟରେ ଜଷ୍ଟିସ କୌଲ କହିଛନ୍ତି ଯେ, ଆପଣ କାହିଁକି ଏପରି ପିଟିସନ ଦାଖଲ କରନ୍ତି, ଯେଉଁଠାରେ ଆମେ ଜରିମାନା ଆଦାୟ କରିବାକୁ ବାଧ୍ୟ ହେଉଛୁ। କାରଣ ଆପଣ କୋର୍ଟକୁ ଆସିଛନ୍ତି, ତେବେ ନିୟମକୁ ଏପରି ପବନରେ ଉଡ଼ାଇବା ଉଚିତ୍ କି? ବୋଲି ବିଚାରପତି କଡା ଭାଷାରେ କହିଛନ୍ତି।

ଏହାର ଜବାବ ରଖି ଆବେଦନକାରୀଙ୍କ ଓକିଲ କହିଥିଲେ ଭାରତ ସରକାରଙ୍କ ପାଇଁ ଗାଈର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ସରକାର ସବୁ କ୍ଷେତ୍ରରେ କହିଛନ୍ତି ଯେ ଗାଈମାନଙ୍କୁ ସର୍ବଦା ସୁରକ୍ଷା ଦିଆଯିବା ଉଚିତ୍। ସରକାର ଏହାକୁ ବିଚାର କରିବା ଉଚିତ୍। ଆମେ ଗୋମାତାଠୁ ସବୁକିଛି ପାଇଛୁ। ଏହି ପିଟିସନର ଶୁଣାଣି ହେବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହା ପରେ ଆବେଦନକାରୀ ତାଙ୍କ ଆବେଦନ ପ୍ରତ୍ୟାହାର କରିନେଇଥିଲେ।