ସୁନ୍ଦରଗଡ଼: ଆଜି ଭୋରରୁ ସୁନ୍ଦରଗଡ଼ ବନଖଣ୍ଡ ଉଜ୍ବଳପୁର ବନାଞ୍ଚଳ ଅନ୍ତର୍ଗତ ସାନପତ୍ରାପାଲି ସେକ୍ସନ କୁଲବାରେ ଅଘଟଣ । ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ଯୁ ହୋଇଛି, ଏଥିସହ ଅନ୍ଯ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତା ହେଲେ କୁଲବା ଗାଁର ଦେବାନନ୍ଦ ସାହୁଙ୍କ ପତ୍ନୀ ରେଣୁକା ସାହୁ (୪୫)। ଆହତ ହେଲେ ପାଖ ଗାଁ ଠିନଠିନପଡାର ବିନୋଦ ଲୁହରା।

ଭୋରରୁ ରେଣୁକା ବାହାରକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡିଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେବା ସହ ଦଳି ଦେଇଥିଲା। ଘଟଣାସ୍ଥଳରେ ରେଣୁକା ଆଖି ବୁଜି ଦେଇଥିଲେ। ପରେ ପରେ ସେ ବାଟ ଦେଇ ଯାଉଥିବା ବିନୋଦ ଲୁହରାଙ୍କୁ ମଧ୍ଯ ହାତୀ ଆକ୍ରମଣ କରିଥିଲା। କିନ୍ତୁ ସେ ବର୍ତ୍ତି ଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଡାକ୍ତରଖାନା ପଠାଇଛନ୍ତି।

ଖବର ପାଇ ବନବିଭାଗ ଓ କିଞ୍ଜିରକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛି। ସୂଚନାଯୋଗ୍ୟ, ୬ ଦିନ ତଳେ ଗତ ୧୪ ତାରିଖରେ ସେହି କୁଲବା ଗାଁର କ୍ଲାରା ସୋରେଙ୍ଗ ନାମ୍ନି ଜଣେ ବୃଦ୍ଧାଙ୍କୁ ଦନ୍ତା କଚାଡ଼ି ମାରି ଦେଇଥିଲା। ହାତୀକୁ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ବନ ବିଭାଗ ତୁରନ୍ତ ହାତୀକୁ ଘଉଡ଼ାଇବାକୁ ଦାବି ହେଉଛି।