ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମଙ୍ଗଳବାର ସକାଳେ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥ ନହରାଲାଗୁନ ଦୈନିକ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୭୦୦ରୁ ଉର୍ଦ୍ଧ ଦୋକାନରେ ନିଆଁ ଲାଗିଥିବା ସୂଚନା ମିଳିଛି। ସକାଳ ପ୍ରାୟ ୪ଟା ସମୟରେ ଅଗ୍ନିକାଣ୍ଡ ନେଇ ଖବର ମିଳିଥିବା ପୁଲିସ ଅଧିକାରୀ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହା ରାଜ୍ୟର ସର୍ବ ପୁରାତନ ବଜାର ହୋଇଥିବାବେଳେ ରାଜ୍ୟର ରାଜଧାନୀ ଇଟାନଗରଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଅବସ୍ଥିତ । ତେବେ ଗତକାଲି ଦୀପାବଳି ପାଇଁ ଫୁଟାଯାଇଥିବା ବାଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦୋକାନଗୁଡ଼ିକ ବାଉଁଶ ଓ କାଠରେ ତିଆରି ହୋଇ ଶୁଖିଲା ଦ୍ରବ୍ୟରେ ଭର୍ତି ହୋଇଥିବାରୁ ନିଆଁ ଶୀଘ୍ର ବ୍ୟାପିଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କା କ୍ଷତି ହୋଇଥିବାର ଆଶଙ୍କା କରାଯାଉଛି।
ଅନ୍ୟପଟେ ଦୋକାନୀମାନେ ଅଭିଯୋଗ କରିଛନ୍ତି ଯେ, ନିଆଁ ବିଷୟରେ ସୂଚନା ପାଇବା ପରେ ସେମାନେ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରରେ ପହଞ୍ଚିଥିଲେ । ହେଲେ ସେଠାରେ କୌଣସି କର୍ମଚାରୀ ଉପସ୍ଥିତ ନଥିଲେ। ଏହା ସହ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚିବା ପରେ ନିଆଁ ଲିଭାଇବା ପାଇଁ ଗାଡିରେ ପାଣି ନଥିଲା। ଦୋକାନୀମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପାଣି ଭରିବା ପାଇଁ ବହୁ ଦୂରକୁ ଯିବାକୁ ପଡିଥିଲା ଏବଂ ସେମାନେ ପାଣି ନେଇ ସକାଳ ୫ଟାରେ ପହଞ୍ଚିବାବେଳକୁ ବଜାରର ଅଧିକାଂଶ ଦୋକାନ ନିଆଁରେ ଜଳି ପାଉଁଶ ହୋଇଯାଇଥିଲା।
