ପାଲଘର : ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ଏହି ଅଘଟଣ ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୧୧ ଜଣ ଆହତ ହୋଇଛନ୍ତି।
ସୂଚନାପାଇ ଦମକଳ ଗାଡି ପହଞ୍ଚିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ମଧ୍ୟାହ୍ନ ପରେ ନିଆଁ ଲାଗିଥିଲା, ଫଳରେ ଫ୍ୟାକ୍ଟ୍ରି ଭିତରେ କର୍ମଚାରୀ ଫଶି ରହିଥିବାର ଆଶଙ୍କା କରାଯାଉଛି। ନିଆଁକୁ ଆୟତ୍ତ କରିବା ସହ ଫ୍ୟାକ୍ଟ୍ରି ଭିତରେ ଫଶି ରହିଥିବା ଲୋକଙ୍କୁ ବାହାର କରିବା ଲାଗି ଉଦ୍ୟମ ଚଳାଯାଇଛି।
ବୋଇସର ସ୍ଥିତ ଏମଆଇଡିସି କେମିକାଲ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗିବାର କାରଣ ବୟେଲର ଫାଟିବା ଯୋଗୁ ବୋଲି କୁହାଯାଉଛି। ତେବେ ଫ୍ୟାକ୍ଟ୍ରି ଭିତରୁ ଲୋକଙ୍କୁ କଢା ନ ଯିବା ପର୍ଯ୍ୟନ୍ତ ଦୁର୍ଘଟଣାର ବାସ୍ତବ କାରଣ କହି ହେବ ନାହିଁ ବୋଲି ପୋଲିସ କହିଛି। ନିଆଁ ଲାଗିବା ଯୋଗୁ ୨ ଜଣ ଘଟଣାସ୍ଥଳରେ ପୋଡି ହୋଇ ପ୍ରାଣ ହରାଇଛନ୍ତି। ସେହିପରି ନିଆଁ ସଂସ୍ପର୍ସରେ ଆସିବା ଯୋଗୁ ୧୧ ଜଣ ଲୋକେ ଝୁଲସିଯାଇଥିବା ପୋଲିସ କହିଛି।
ଦମକଳ ବିଭାଗ ନିଆଁ ଲିଭାଇବାକୁ ଉଦ୍ୟମ କରୁଛି, ଯାହା ଦ୍ୱାରା ଭିତରେ ଅଟକି ରହିଥିବା ଲୋକଙ୍କୁ ବାହାରକୁ ବାହାର କରାଯାଇ ପାରିବ ବୋଲି ଅଧିକାରୀ କହିଛନ୍ତି। ସେପଟେ ମଧ୍ୟପ୍ରଦେଶ ଖରଗୋନ ଜିଲ୍ଲାରେ ବୁଧବାର ସକାଳେ ବିପିସିଏଲର ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିବା ସହ ନିଆଁ ଲାଗିଯାଇଥିଲା। ପେଟ୍ରୋଲ ଟାଙ୍କିରେ ବିସ୍ପୋରଣ ହେବା ଯୋଗୁ ନିକଟରେ ଥିବା ଜନୈକା ଯୁବତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି।