ନୂଆଦିଲ୍ଲୀ: ମୋର୍ବି ଝୁଲାପୋଲ ଦୁର୍ଘଟଣା ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ, ଏହି ଘଟଣାରେ ୧୪୧ ଜଣଙ୍କ ମୃତ୍ୟୁ ଘଟିଛି । ସେପଟେ ଏହି ଘଟଣାକୁ ନେଇ ଗୁଜରାଟରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆମ୍ ଆଦମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜ୍ରିୱାଲ।

ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଆପ୍ ପ୍ରଥମ କରି ନିର୍ବାଚନ ଲଢ଼ିବାକୁ ଯାଉଛି। ଦିଲ୍ଲୀ ଓ ପଞ୍ଜାବ ପରେ ଗୁଜରାଟ ହାତେଇବାକୁ କେଜ୍ରିୱାଲ ଉଦ୍ୟମ କରୁଥିବା‌ ବେଳେ ମୋର୍ବି ଝୁଲାପୋଲ ଦୁର୍ଘଟଣା ଏହି କାମକୁ ଆହୁରି ସହଜ କରିଦେଇଛି।

ଏହି ଦୁର୍ଘଟଣାକୁ ନେଇ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ତୁରନ୍ତ ଇସ୍ତଫା ଦିଅନ୍ତୁ। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ଆତ୍ମାକୁ ଶାନ୍ତି ମିଳୁ। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ, ମୁଁ ତାହା ହିଁ କାମନା କରୁଛି। ଏହା ଏକ ଦୁର୍ନୀତି ପ୍ରସଙ୍ଗ।

ମୋର ପ୍ରଥମ ପ୍ରଶ୍ନ ହେଲା ଝୁଲା ପୋଲ ନିର୍ମାଣ ପାଇଁ ସରକାର ଘଣ୍ଟା ନିର୍ମାତା କମ୍ପାନି ଓରେଭାକୁ କାହିଁକି ଦାୟିତ୍ବ ଦେଇଥିଲେ? ଦ୍ୱିତୀୟରେ ଝୁଲା ପୋଲ ରକ୍ଷଣାବେକ୍ଷଣର କୌଣସି ଅଭିଜ୍ଞତା ନଥାଇ ସେମାନଙ୍କୁ କାମ ଦିଆଯିବାର ମାନେ ହେଲା କମ୍ପାନିର ବିଜେପି ସରକାର ସହ ବହୁତ ଭଲ ସମ୍ପର୍କ ଥିଲା।

କେଜ୍ରିୱାଲ ଆହୁରି କହିଛନ୍ତି ଯେ, ନା କମ୍ପାନି ନା ଏହାର ମାଲିକଙ୍କ ନାଁ ଏତଲାରେ ଲେଖାଯାଇଛି। ମାମଲାକୁ ଭିନ୍ନ ମୋଡ ଦେଇ ଅସଲ ଅଭିଯୁକ୍ତଙ୍କୁ ଖସିବାରେ ସାହାଯ୍ୟ କରାଯାଉଛି। କମ୍ପାନି ରାଜ୍ୟ ସରକାରଙ୍କୁ ବିପୁଳ ଟଙ୍କା ଦାନ ଦେଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ଜରୁରୀ। ଏଭଳି ଘଟଣା ପରେ ଭୂପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଜରୁରୀ।