ଭୁବନେଶ୍ବର: ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଜାରୀ ରହିଛି ମତ ଗ୍ରହଣ ପକ୍ରୀୟା । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଥିବା ବେଳେ, ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ ହୋଇଥିଲା। ୧୫, ୬୯ , ୭୪ , ୭୫ ଓ ୧୬୫ ନଂ ବୁଥ୍ ଇ ଭି ଏମ୍ ରେ ସାମାନ୍ୟ ତ୍ରୁଟି ଥିଲା। ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ଏହାଛଡ଼ା ଅନ୍ୟ କୌଣସି ବୁଥରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ।

ଅନ୍ୟପଟେ, ନିୟମ ଅନୁଯାୟୀ, ମୃତ ପୋଲିଂ ଅଧିକାରୀ ନଟବର ମୁଣ୍ଡାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ନିୟୋଜିତ ଫାର୍ଷ୍ଟ ପୋଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। ସେ ନିଜର ଅସୁସ୍ଥତା ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚିତ କରିବା ପରେ ବି ତାଙ୍କୁ ନିର୍ବାଚନ ଦାୟିତ୍ବ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗତକାଲି ରାତିରେ ନଟବର ମୁଣ୍ଡା ଭୀଷଣ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ଗତକାଲି ତାଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ରାତିରେ ସେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି।

ନଟବର ମୁଣ୍ଡା ଭଦ୍ରକ ଜିଲ୍ଲା ଓଲାଙ୍ଗ ନେଡାଲ୍ ୟୁପି ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ସେ ନିଜର ଅସୁସ୍ଥତା ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚିତ କରି ତାଙ୍କୁ ନିର୍ବାଚନ କାମ ନ ଦେବା ଲାଗି ଅନୁରୋଧ କରିଥିଲେ। ହେଲେ ସେଥିପ୍ରତି କେହି କର୍ଣ୍ଣପାତ କରି ନଥିଲେ। ଦୋବଲ ଜୋନର ଏକ ବୁଥରେ ତାଙ୍କୁ ଫାର୍ଷ୍ଟ ପୋଲିଂ ଅଫିସର୍ ଭାବେ ନିୟୋଜିତ କରାଯାଇଥିଲା। ସେ ଅସୁସ୍ଥ ଥାଇ ମଧ୍ୟ ଗତ ୧ ତାରିଖରୁ ଦାୟିତ୍ବ ନିର୍ବାହ କରିବାକୁ ଏଠାକୂୁ ଆସିଥିଲେ।