ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୧୦ ରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବେ । ତେବେ ଏହା ପୂର୍ବରୁ ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଏସପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ସମସ୍ତ ବିଭାଗର ମୁଖ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କ ଆଗମନ ଠାରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ସମସ୍ତ ବିଭାଗ ଯେଭଳି ନିଜ ନିଜ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ତାଳବଣିଆ ହେଲିପ୍ୟାଡ୍ ଠାରୁ ରାଜଭବନ ଓ ଶ୍ରୀମନ୍ଦିର ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସିନିୟର ଅଫିସର, ୧୦୦ ଅଧିକାରୀ, ୧୦ ଅତିରିକ୍ତ ଏସପି ତଥା କମାଣ୍ଡାଣ୍ଟଙ୍କ ସହ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ରହିବେ। ଟ୍ରାଫିକ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସହରବାସୀ ତଥା ଭକ୍ତ, ପର୍ଯ୍ୟଟକ ଯେଭଳି କୌଣସି ଅସୁବିଧା ନଭୋଗିବେ ସେନେଇ ମଧ୍ୟ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ଓ ଏସପି।‌