ଅମରାବତୀ: ଶନିବାର ଦିନ ‘ତିରୁମାଲା ତିରୁପତି ଦେବସ୍ଥାନମ୍‌ସ୍’ (ଟିଟିଡି) ସୂଚନା ସମ୍ବଳିତ ବିଜ୍ଞପ୍ତି ଏବଂ ମିଆଦି ଜମା ଓ ସୁନା ସମେତ ସମ୍ପତ୍ତିକୁ ନେଇ ତାଲିକା ପ୍ରକାଶ କରିଛି।

‘ଟିଟିଡି’ କହିଛି ଯେ, ୨୦୧୯ରୁ ଏବର ବୋର୍ଡ ତା’ର ନିବେଶ ମାର୍ଗଦର୍ଶିକାକୁ ସୁଦୃଢ଼ କରିଛି। ବଳକା ପାଣ୍ଠିକୁ ‘ଟିଟିଡି’ ଅଧ୍ୟକ୍ଷ ଏବଂ ବୋର୍ଡ ଆନ୍ଧ୍ରପ୍ରଦେଶ ସରକାରଙ୍କ ସିକ୍ୟୁରିଟିରେ ନିବେଶ କରିବ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ଟ୍ରଷ୍ଟ୍‌ ଅସ୍ବୀକାର କରିଛି।

ବଳକା ଅର୍ଥରାଶି ‘ସିଡ୍ୟୁଲ୍‌ଡ୍‌ ବ୍ୟାଙ୍କ୍‌’ରେ ବିନିଯୋଗ କରାଯାଇଛି। ଏ ସଂକ୍ରାନ୍ତରେ ଜାରି ପ୍ରେସ୍‌ ରିଲିଜ୍‌ରେ ‘ଟିଟିଡି’ କହିଛି, ଶ୍ରୀବରିଙ୍କ ଭକ୍ତମାନଙ୍କୁ ଅନୁରୋଧ ସେମାନେ ଏଭଳି ଷଡ଼ଯନ୍ତ୍ରମୂଳକ ମିଥ୍ୟା ପ୍ରଚାରକୁ ବିଶ୍ବାସ କରନ୍ତୁ ନାହିଁ। ସୁବ୍ୟବସ୍ତିତ ଭାବେ ‘ଟିଟିଡି’ କେତେଗୁଡ଼ିଏ ବ୍ୟାଙ୍କ୍‌ରେ ନଗଦ ଅର୍ଥ ଓ ସୁନା ଜମା ଦେଇଛି।

ମନ୍ଦିର ଟ୍ରଷ୍ଟ୍‌ କହିଛି ଯେ, ଜାତୀୟକରଣ ବ୍ୟାଙ୍କ୍‌ରେ ତା’ର ୫,୩୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୧୦.୩ ଟନ୍‌ ସୁନା ଜମା ଦିଆଯାଇଛି। ସେହିପରି, ନଗଦ ୧୫,୯୩୮ କୋଟି ଟଙ୍କା ମଧ୍ୟ ଜମା ରଖାଯାଇଛି।

ତାହାର ସମୁଦାୟ ସମ୍ପତ୍ତିର ମୂଲ୍ୟ ୨.୨୬ ଲକ୍ଷ କୋଟି ଟଙ୍କା ବୋଲି ‘ଟିଟିଡି’ କହିଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ସମଗ୍ର ଭାରତରେ ମନ୍ଦିର ନାଁରେ ୭,୧୨୩ ଏକର୍‌ ଜମି ଉପରେ ୯୬୦ଟି ଘର ରହିଛି। ଭକ୍ତଙ୍କ ଦାନ, ବ୍ୟବସାୟ ସଙ୍ଗଠନ ଓ ପ୍ରତିଷ୍ଠାନମାନଙ୍କ ଉପରେ ମନ୍ଦିରର ଆୟ ହୋଇଥାଏ ବୋଲି ‘ଟିଟିଡି’ କହିଛି।

୧୦.୩ ଟନ୍‌ ସୁନା ଓ ୧୫,୯୩୮ କୋଟି ଟଙ୍କା ବ୍ୟାଙ୍କ୍‌ରେ ଜମା ରଖିଛି ତିରୁପତି ମନ୍ଦିର ଟ୍ରଷ୍ଟ୍‌।