ଭୁବନେଶ୍ବର: ରାତି ପାହିଲେ ବୋଇତ ବନ୍ଦାଣ ଉତ୍ସବ। ଏନେଇ ରାଜଧାନୀର ଅନେକ ନଦୀ ରେ ଦେଖିବାକୁ ମିଳେ ଅସମ୍ଭାଳ ଭିଡ। ନଦୀ କୁଆଖାଇ, ଦୟା ଓ ବିନ୍ଦୁସାଗରରେ ଲୋକେ ଡଙ୍ଗା ଭସାଇବେ। ତେବେ ଚନ୍ଦ୍ରଗ୍ରହଣ କାରଣରୁ ଚଳିତ ଥର ରାତି ୨ଟାରୁ ସକାଳ ୫ଟା ୪୫ ମଧ୍ୟରେ ଡଙ୍ଗା ଭସା ହେବ। ଏହି ସମୟରେ ଲୋକଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପାରେ। ସେହିପରି ଡଙ୍ଗା ଭସାଇବା ବେଳେ ଅଘଟଣ ଘଟିବାର ମଧ୍ୟ ଆଶଙ୍କା ଥାଏ। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ, ଭୁବନେଶ୍ବର ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।
କମିସନରେଟ ପୁଲିସ୍ ପକ୍ଷରୁ ଟ୍ରାଫିକ୍ ଓ ସୁରକ୍ଷା ପାଇଁ ୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଓ ୧୦ ଅଫିସର୍ ନିୟୋଜିତ ହେବେ। ଦୁଇ ନଦୀପଠା ଓ ବିନ୍ଦୁସାଗରରେ ଅଗ୍ନିଶମ ବିଭାଗର ମଧ୍ୟ ୪ଟି ଟିମ୍ ୪ଜଣ ଅଫିସର୍ଙ୍କ ନେତୃତ୍ବରେ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବ।
ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡାଙ୍କଠାରୁ ମିଳିଥିବା ସୂଚନା ମୁତାବକ, ବୋଇତ ବନ୍ଦାଣ ସମୟରେ ବିନ୍ଦୁସାଗରରେ ଅସମ୍ଭାଳ ଗହଳି ପରିଲକ୍ଷିତ ହୋଇଥାଏ। ତେଣୁ ସେଠାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିପାଇଁ ସେଠାରେ ୧ ପ୍ଲାଟୁନ ପୁଲିସ ଫୋର୍ସ ଓ ୩ଜଣ ଅଫିସର୍ ନିୟୋଜିତ ରହିବେ। ବିନ୍ଦୁସାଗରକୁ ଡଙ୍ଗା ଭସାଇବାକୁ ଆସୁଥିବା ବ୍ୟକ୍ତିମାନେ କିଛି ମିଟର ଦୂରରେ ବାଇକ୍ ଓ କାର ପାର୍କିଂ କରିବେ। ସେମାନଙ୍କ ପାଇଁ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ଚନ୍ଦ୍ରଗ୍ରହଣ ହେତୁ ଲୋକେ ରାତି ୨ଟାରୁ ସକାଳ ୫.୪୫ ମିନିଟ ମଧ୍ୟରେ ଡଙ୍ଗା ଭସାଇବା କାମ ଶେଷ କରିବେ। ଏଥିପାଇଁ ରାତି ସମୟରେ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଲିଙ୍ଗରାଜ ଥାନା ପକ୍ଷରୁ ବିନ୍ଦୁସାଗର ଓ ଆଖପାଖ ଅଞ୍ଚଳରେ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ। ଏଥିପାଇଁ ଲିଙ୍ଗରାଜ ଥାନା ପୁଲିସକୁ ୨ପ୍ଲାଟୁନ୍ ପୁଲିସ ଫୋର୍ସ ଯୋଗାଇ ଦିଆଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ସେହିପରି ଦୟାନଦୀ କୂଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଧଉଳି ଥାନା ପୁଲିସ ଦୟାନଦୀରେ ନିକଟରେ ପାଟ୍ରୋଲିଂ କରିବ। ସୁରକ୍ଷା ବ୍ୟବସ୍ଥା ପାଇଁ ସେଠାରେ ୨ଜଣ ଅଫିସରଙ୍କ ନେତୃତ୍ବରେ ଏକ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ। କୁଆଖାଇ ନଦୀର ଦୁଇ ପାର୍ଶ୍ବରେ ଲୋକେ ଡଙ୍ଗା ଭସାଇବେ। ସେଠାରେ ମଧ୍ୟ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବାକୁ ଯୋଜନା ହୋଇଛି। ଦୁଇ ନଦୀପଠା ଓ ବିନ୍ଦୁସାଗର କୂଳରେ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଡେପୁଟି ଫାୟାର ଅଫିସର୍ ଅବନୀ ସ୍ବାଇଁ କହିଛନ୍ତି, ଆଗ୍ନିକମାନେଲାଇଫ-ବଏ(ଟ୍ୟୁବ୍), ଲାଇଫ୍ ଜ୍ୟାକେଟ୍ ସହିତ ଉପସ୍ଥିତ ରହିବେ। ପାଣି ଭିତରକୁ ପଶି କୌଣସି ପରିସ୍ଥିତିରେ ଡଙ୍ଗା ଭସାଇବାକୁ ଅନୁମତି ମିଳିବ ନାହିଁ। ବିନ୍ଦୁସାଗର, ଧଉଳି, କୁଆଖାଇରେ ସମୁଦାୟ ୪ଟି ଅଗ୍ନିଶମ ଟିମ୍ ରହିବ। ପ୍ରତ୍ୟେକ ଟିମରେ ୬ଜଣ ଆଗ୍ନିକ ଓ ଜଣେ ଅଫିସର ରହିବେ। ସୁରକ୍ଷାର ସହିତ ଡଙ୍ଗା ଭସାଇବାକୁ ଡେପୁଟି ଫାୟାର୍ ଅଫିସର ଶ୍ରୀ ସ୍ବାଇଁ ଜନସାଧାରଣଙ୍କୁ ନିବଦେନ କରିଛନ୍ତି।





