ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତ୍ୟବ୍ୟ; କୋଲକାତା ହାଇକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅଶାଳୀନ ଟିପ୍ପଣୀକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ବିବାଦରେ ଫସିଥିବା ତ୍ରୁଣମୂଳ କଂଗ୍ରେସ ନେତା ଅଖିଲ ଗିରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି। ଅଖିଲ ଗିରିଙ୍କ ବିରୋଧରେ ପ୍ରଥମେ ପୁଲିସ ନିକଟରେ ଓ ଏବେ କୋଲକାତା ହାଇକୋର୍ଟରେ ଜନସ୍ୱାର୍ଥ୍ୟ ମାମଲା ରୁଜୁ ହୋଇଛି। ପଶ୍ଚିମବଙ୍ଗ କ୍ୟାବିନେଟରୁ ଗିରିଙ୍କୁ ବହିସ୍କାର ପାଇଁ ଆବେଦନ କରାଯାଇଛି। ଏଥିପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି।

ସେହିପରି ଗିରିଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋହଳ ମନୋଭାବ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ମମତାଙ୍କ ବାନାର୍ଜୀଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଭଳି ଦେଶର ସର୍ବୋଚ୍ଚ ସମ୍ବିଧାନିକ ପଦରେ ବସିଥିବା ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଅତ୍ରନ୍ତ ନିନ୍ଦନୀୟ।

ଗରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଓଲଟି ତାଙ୍କୁ ସୁରକ୍ଷା ଦେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସେ କହିଛନ୍ତି। ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା ଭଳି ମନ୍ତବ୍ୟ ଦେବା ଅନୁଚିତ କହି ଦଳଗୁଡ଼ିକ ସମାଲୋଚନା କରିବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଖିଳଙ୍କୁ କ୍ୟାବିନେଟରୁ ବାହାର କରନ୍ତୁ ବୋଲି ଦାବି ହୋଇଛି। ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚେହେରାକୁ ନେଇ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ଆପତ୍ତିଜନକ ମନ୍ତବ୍ୟର ଭିଡିଓ ଭାଇରାଲ ହେବା ପରେ ଶାସକ ଟିଏମ୍‌ସି ଏହି ବିବାଦରୁ ଦୂରେଇ ରହିଛି ।

ଅନ୍ୟପଟେ ୬୩ ବର୍ଷୀୟ ଅଖିଳ ଶନିବାର କ୍ଷମା ମାଗିଥିଲେ ମଧ୍ୟ ବିବାଦ ‌ଥମିନି। ଅଖିଳଙ୍କ ମନ୍ତବ୍ୟ ଟିଏମ୍‌ସିର ଆଦିବାସୀ ବିରୋଧୀ ମନୋଭାବକୁ ପ୍ରତିଫଳିତ କରୁଛି ବୋଲି ପଶ୍ଚିମବଙ୍ଗର ଶାସକ ଦଳକୁ ବିରୋଧୀ ଭାଜପା ଟାର୍ଗେଟ କରିଛି। ଅଖିଳଙ୍କ ଗିରଫଦାରି ଏବଂ କ୍ୟାବିନେଟରୁ ବହିଷ୍କାର ଦାବିରେ ଭାଜପା ପକ୍ଷରୁ ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ସର୍ବସାଧାରଣରେ କ୍ଷମା ମାଗନ୍ତୁ। କାହା ଇଙ୍ଗିତରେ ମନ୍ତ୍ରୀ ଅଖିଳ ଏଭଳି ଦୁର୍ଭାଗ୍ୟଜନକ ମନ୍ତବ୍ୟ ଦେଲେ ମମତା ସେନେଇ ସ୍ପଷ୍ଟୀକରଣ ଦିଅନ୍ତୁ। ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ମଧ୍ୟ ଏନେଇ ଅଖିଳଙ୍କୁ ନୋଟିସ କରିଛନ୍ତି।

Related Posts