ଟି-୨୦ ବିଶ୍ଵକପ୍‌ ସୁପର ଷ୍ଟ୍ରାଇକର୍ସ ତାଲିକା ଜାରି କଲା ଆଇସିସି, ତାଲିକା ଶୀର୍ଷରେ ସୂର୍ଯ୍ୟକୁମାର ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଟି-୨୦ ବିଶ୍ଵ କପ୍‌ରେ ସୁପର ଷ୍ଟ୍ରାଇକର୍ସଙ୍କ ତାଲିକା ଜାରି କରିଛି। ଟି-୨୦ ବିଶ୍ଵ କପ୍‌ରେ ଅତି କମରେ ୩୦ ବଲ୍ ଖେଳିବା ପରେ ସର୍ବାଧିକ ଷ୍ଟ୍ରାଇକ୍ ରେଟ୍‌ରେ ରନ କରିଥିବା ଶୀର୍ଷ ୫ ବ୍ୟାଟସମ୍ୟାନଙ୍କ ତାଲିକା ଜାରି କରିଛି ଆଇସିସି। ତାଲିକାରେ ଶୀର୍ଷରେ ଅଛନ୍ତି ଭାରତର ମଧ୍ୟକ୍ରମ ବ୍ୟାଟର ସୂର୍ଯ୍ୟକୁମାର ଯାଦବ। ଯାଦବ ଟି-୨୦ ବିଶ୍ଵ କପ୍‌ ୨୦୨୨ ସମୟରେ ଭାରତ ପାଇଁ ଚତୁର୍ଥରେ ବ୍ୟାଟିଂ କରି ୧୮୯.୭୦ ଷ୍ଟ୍ରାଇକ୍ ରେଟ୍‌ରେ ରନ କରିଛନ୍ତି।

ସୂର୍ଯ୍ୟକୁମାର ଯାଦବ ଟି-୨୦ ବିଶ୍ଵ କପ୍‌ ୨୦୨୨ରେ ଭାରତ ପକ୍ଷରୁ ଛଅଟି ଇନିଂସରେ ୫୯.୭୫ ହାରରେ ଏବଂ ୧୮୯.୬୮ ଷ୍ଟ୍ରାଇକ୍ ରେଟ୍‌ରେ ମୋଟ୍ ୨୩୯ ରନ କରିଛନ୍ତି। ତାଲିକାରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ଫିନ୍ ଆଲେନ। ସେ ପାଞ୍ଚଟି ଇନିଂସରେ ୧୮୬.୭୦ ଷ୍ଟ୍ରାଇକ୍ ରେଟ୍‌ରେ ୯୫ ରନ କରିଛନ୍ତି। ତୃତୀୟ ସ୍ଥାନରେ ଆଫଗାନିସ୍ତାନର ରାଶିଦ ଖାନ ରହିଛନ୍ତି। ସେ ୩ଟି ଇନିଂସରେ ୧୭୮.୧୨ ଷ୍ଟ୍ରାଇକ୍ ରେଟ୍‌ରେ ମୋଟ୍ ୫୭ ରନ କରିଛନ୍ତି।

ଚତୁର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକାର ରିସି ସୋସୁ ଅଛନ୍ତି। ସେ ଚାରୋଟି ଇନିଂସରେ ୧୬୯.୮୮ ଷ୍ଟ୍ରାଇକ୍ ରେଟ୍‌ରେ ମୋଟ୍ ୧୪୧ ରନ କରିଛନ୍ତି। ପଞ୍ଚମରେ ପାକିସ୍ତାନର ଶାଦବ ଖାନ। ଶାଦବ ୬ଟି ଇନିଂସରେ ୧୬୮.୯୭ ଷ୍ଟ୍ରାଇକ୍ ରେଟ୍‌ରେ ୯୮ ରନ କରିଛନ୍ତି। ଟି-୨୦ ବିଶ୍ଵ କପ୍ ୨୦୨୨ରେ ସର୍ବାଧିକ ରନ ତାଲିକାରେ ଶୀର୍ଷରେ ଅଛନ୍ତି ବିରାଟ କୋହଲି। ସେ ଛଅଟି ଇନିଂସରେ ୯୮.୬୭ ହାରରେ ଏବଂ ୧୩୬.୪୧ ଷ୍ଟ୍ରାଇକ୍ ରେଟ୍‌ରେ ମୋଟ୍ ୨୯୬ ରନ କରିଛନ୍ତି।

Related Posts