ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ମଙ୍ଗଳବାର ଆରଏସଏସ ଏବଂ ବିଜେପିକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଚାଲିଥିବା କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ର ପ୍ରଭାବ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ଉପରେ ପଡିଛି। ଫଳରେ ଭାଗବତଙ୍କୁ ଏବେ ମଦରସା ଏବଂ ମସଜିଦ ଯିବାକୁ ପଡୁଛି। ଆଉ କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୋପି ପିନ୍ଧିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି।
ତେବେ ଦିଗବିଜୟ ହେଉଛନ୍ତି ଭାରତ ଯୋଡୋ ଯାତ୍ରାର ଆୟୋଜନ ସମିତିର ପ୍ରମୁଖ। ଇନ୍ଦୋରରେ ଯାତ୍ରାର ପ୍ରସ୍ତୁତିର ସମୀକ୍ଷା ସମୟରେ ସେ କହିଛନ୍ତି ଯେ, ବିଜେପି ସଂପ୍ରତି ରାହୁଲ ଗାନ୍ଧୀଙ୍କୁ ହିଁ କେବଳ ସମାଲୋଚନା କରୁଛି କାରଣ ତାଙ୍କର ଭାରତ ଯୋଡୋ ଯାତ୍ରାର ଏକ ମାସ ଭିତରେ ମୋହନ ଭାଗବତ ମଦରସା ଏବଂ ମସଜିଦ ଯିବାରେ ଲାଗିଛନ୍ତି। ଆଉ କିଛି ଦିନ ପରେ ମୋଦୀ ବି ଟୋପି ପିନ୍ଧିବେ।
କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବ ଏବଂ ଅନ୍ୟ ଦେଶମାନଙ୍କରେ ଟୋପି ପିନ୍ଧୁଛନ୍ତି। ମାତ୍ର ଭାରତ ଆସିଲେ ଟୋପି ପିନ୍ଧୁ ନାହାନ୍ତି। ଭାରତ ଯୋଡୋ ଯାତ୍ରାର ଦୁଇ ମାସ ଭିତରେ ଏହାର ବହୁତ ପ୍ରଭାବ ଦେଖିବାକୁ ମିଳିଲାଣି। ଯେବେ ଏହି ଯାତ୍ରା ନିଜର ଶେଷ ପର୍ଯ୍ୟାୟରେ ଶ୍ରୀନଗରରେ ପହଞ୍ଚିବ, ସେହି ସମୟରେ ଆହୁରି ବହୁତ୍ କିଛି ହେବ।
ସେ କହିଛନ୍ତି ଯେ, ବିଜେପି କେବଳ ଅନୁସୂଚିତ ଜାତି ଏବଂ ଜନଜାତିର ଲୋକଙ୍କ ବିକାଶ ନାମରେ କେବଳ ଲୋକ ଦେଖାଣିଆ କାମ କରୁଛି। ଆମେ ଗର୍ବିତ ଯେ ଦ୍ରୌପଦୀ ମୁର୍ମୁ ଆମ ଦେଶର ରାଷ୍ଟ୍ରପତି। ମୁଁ ଆଶା କରୁଛି ସେ ମଧ୍ୟ ପ୍ରଦେଶରେ ଆଦିବାସୀଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ଉପରେ କିଛି କହିବେ। ଯଦି ସେ ଏହି ବିଷୟରେ କହିବାକୁ ଚାହୁଁ ନାହାନ୍ତି ତଥାପି ଆମର ପ୍ରତିନିଧିମଣ୍ଡଳ ସହ ଆଲୋଚନା କରିବାକୁ ସମୟ ଦିଅନ୍ତୁ। ଗତ ଥର ଅନୁସୂଚିତ ଜାତିର ରାମନାଥ କୋବିନ୍ଦ ଦେଶର ରାଷ୍ଟ୍ରପତି ହୋଇଥିଲେ। ପ୍ରଧାନମନ୍ତ୍ରୀ ଜଣାନ୍ତୁ ଯେ, ତାଙ୍କ ସରକାର କୋବିନ୍ଦଙ୍କ କାର୍ଯ୍ୟକାଳରେ କୋଟି କୋଟି ଦଲିତଙ୍କ ହିତ ପାଇଁ କଣ କରିଛନ୍ତି ବୋଲି ଦିଗବିଜୟ ସିଂହ ପ୍ରଶ୍ନ କରିଛନ୍ତି।
