ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର୍ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଅଫତାବର ପୋଲିସ ରିମାଣ୍ଡ ଅବଧିକୁ ଆଉ ୫ ଦିନ ବୃଦ୍ଧି କରିଛନ୍ତି କୋର୍ଟ ।ଆଜି (ଗୁରୁବାର) ଅପରାହ୍ନରେ ଅଫତାବକୁ ଭିଡିଓ ରନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା । ଅଧିକ ତଦନ୍ତର ଆବଶ୍ୟକତା ଦର୍ଶାଇ ପୋଲିସ ରିମାଣ୍ଡ ଅବଧି ବଢାଇବା ପାଇଁ ଆବେଦନ କରିଥିବା ବେଳେ କୋର୍ଟ ୫ ଦିନ ଏହି ଅବଧି ବୃଦ୍ଧି କରିଛନ୍ତି।
ଏହି ରିମାଣ୍ଡ ଅବଧି ମଧ୍ୟରେ ପୋଲିସ ଅଭିଯୁକ୍ତକୁ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡକୁ ନେଇ ଅଧିକ ତଦନ୍ତ କରିବ ବୋଲି ସୂଚନା ମିଳିଛି । ହତ୍ୟାକାଣ୍ଡର ଚେର ରାଜଧାନୀ ଦିଲ୍ଲୀରୁ ଅନ୍ୟ ରାଜ୍ୟକୁ ବ୍ୟାପିଛି । ତେଣୁ ଅଭିଯୁକ୍ତକୁ ଅନ୍ୟରାଜ୍ୟକୁ ନେଇ ସରଜମିନ ତଦନ୍ତ କରି ନୂଆ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ ଦିଲ୍ଲୀ ପୋଲିସ । ସେହିପରି ଶ୍ରଦ୍ଧା ମୃତଦେହର ଅନ୍ୟ କେତେକ ଖଣ୍ଡ ଏଯାଏଁ ମିଳିନଥିବାରୁ ପୋଲିସ ସେସବୁକୁ ସଂଗ୍ରହ କରିବା ନେଇ ଅଫତାବକୁ ପୁଣି ପଚରାୁଚରା କରିବ । ଏଯାବତ ପୋଲିସ ମୃତଦେହର କେତାକାଂଶ ଜଙ୍ଗଲରୁ ଉଦ୍ଧାର କରି ଫରେନସିକ୍ ପରୀକ୍ଷା ନିମନ୍ତେ ଲାବକୁ ପଠାଇଛି ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ପ୍ରେମିକ ଅଫତାବ୍ ପୁନୱାଲ ସହ ଲିଭ୍-ଇନ୍ରେ ରହୁଥିଲେ ଶ୍ରଦ୍ଧା ୱାକର୍ । ଶ୍ରଦ୍ଧା ବିବାହ ପାଇଁ ଜିଦ୍ କରିବାରୁ ତଣ୍ଟିଚିପି ହତ୍ୟା କରିବାପରେ ମୃତଦେହକୁ ୩୫ ଖଣ୍ଡ କରିଥିଲା ପ୍ରେମିକ ଅଫତାବ୍ । ପୋଲିସ୍ର ସୂଚନା ମୁତାବକ, ହତ୍ୟା ପରେ ଅଫତାବ୍, ଶ୍ରଦ୍ଧାର ଖଣ୍ଡ ବିଖଣ୍ଡିତ ମାଂସ ଖଣ୍ଡକୁ ଫ୍ରିଜ୍ରେ ରଖିଥିଲା । ପ୍ରତିଦିନ ବିଳମ୍ବିତ ରାତିରେ ମାଂସଖଣ୍ଡକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଫିଙ୍ଗୁଥିଲା ।
