ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ଡିସେମ୍ୱର ୧ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ରାଇସିନା ହିଲ ସ୍ଥିତ ରାଷ୍ଟ୍ରପତି ଭବନକୁ ସପ୍ତାହକୁ ୫ ଦିନ ସର୍ବସାଧାରଣଙ୍କୁ ପ୍ରବେଶ ସୁବିଧା ମିଳିବ । ସୋମବାର ଓ ମଙ୍ଗଳବାର ବ୍ୟତୀତ ସପ୍ତାହର ଅନ୍ୟ ଦିନମାନଙ୍କରେ ସର୍ବସାଧାରଣଙ୍କ ଭ୍ରମଣ ପାଇଁ ରାଷ୍ଟ୍ରପତି ଭବନ ଖୋଲା ରହିବ ।

ତେବେ ଏହିଦିନ ଗୁଡିକରେ ପୂର୍ବାହ୍ନ ୧୦ଟାରୁ ୧୧, ୧୧ରୁ ୧୨, ୧୨ଟାରୁ ୧ଟା, ଅପରାହ୍ନ ୨ଟାରୁ ୩ଟା ଓ ୩ଟାରୁ ୪ ଟା ଏହିପରି ୧ଘଣ୍ଟା ପାଇଁ ପ୍ରବେଶ ଅନୁମତି ମିଳିବ ବୋଲି ସୋମବାର ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି।

ତେବେ ରାଷ୍ଟ୍ରପତି ଭବନ ପରିସର ବୁଲି ଦେଖିବା ବ୍ୟତୀତ ଲୋକେ ମଙ୍ଗଳବାରରୁ ରବିବାର ପର୍ଯ୍ୟନ୍ତ ସପ୍ତାହର ଛଅ ଦିନ ରାଷ୍ଟ୍ରପତି ସଂଗ୍ରହାଳୟ କମ୍ପ୍ଲେକ୍ସ ପରିଦର୍ଶନ କରିପାରିବେ। ଏହା ସହିତ ଶନିବାର ଲୋକେ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଗାର୍ଡ ପରିବର୍ତ୍ତନ ସମାରୋହକୁ ମଧ୍ୟ ଦେଖିପାରିବେ। ରାଷ୍ଟ୍ରପତି ଭବନ ଭିତରକୁ ପ୍ରବେଶ ପାଇଁ ଜନସାଧାରଣ ମାନେ http://rashtrapatisachivalaya.gov.in/rbtour ଲିଙ୍କ୍ ରେ ଅନଲାଇନ ସ୍ଲଟ୍ ବୁକ୍ କରିପାରିବେ । ଏନେଇ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।