ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଆଜି ପୁଣି ଇଡିରେ ହାଜର ହୋଇଛନ୍ତି। ଆଜି ଶ୍ରଦ୍ଧାଞ୍ଜଳି ଦ୍ଵିତୀୟ ଥର ପାଇଁ ଇଡିରେ ହଜାର ହୋଇଥିବା ବେଳେ ତାଙ୍କୁ ଅର୍ଚ୍ଚନା ନାଗ ମାମଲାରେ ଜେରା କରିବ ସମୟରେ ଇଡି ଅଧିକାରୀମାନେ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବେ।
ଏହା ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କୁ ପଚରାଉଚରା କରିସାରିଛି ଇଡି।ଗତ ବୁଧବାର ଶ୍ରଦ୍ଧାଞ୍ଜଳିଙ୍କୁ ୧୪ ଘଣ୍ଟା ଧରି ଜେରା କରିଥିଲା ଇଡି। ତେବେ ଅର୍ଚ୍ଚନା ନାଗ ମାମଲା ଶ୍ରଦ୍ଧାଞ୍ଜଳି ଙ୍କ ଠାରୁ ଆରମ୍ଭ ହୋଇଥିଲା। ପ୍ରଥମ ମାମଲା ଭାବେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ଘଟଣା ସାମ୍ନାକୁ ଆସିଥିଲା। ସେଥିପାଇଁ ଜେରାର ପ୍ରଥମ ଦିନରେ ଶ୍ରଦ୍ଧାଞ୍ଜଳିଙ୍କୁ ଅକ୍ଷୟ ପରିଜାଙ୍କ ସହ ସାମ୍ନାସାମ୍ନି ଜେରା କରାଯାଇଥିଲା। କାହାଠାରୁ ଟଙ୍କା ଆଦାୟ କରାଯାଉଥିଲା, କେତେ ଟଙ୍କା ଆଦାୟ କରାଯାଉଥିଲା ଓ କେଉଁ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ଏପରି ଅନେକ ପ୍ରଶ୍ନ ଇଡି ଅଧିକାରୀମାନେ ଶ୍ରଦ୍ଧାଞ୍ଜଳିଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ। ଇଡି ଆଗରେ ଶ୍ରଦ୍ଧାଞ୍ଜଳି ଅନେକ ଗୁମର ଖୋଲିଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁ ମଧ୍ୟ କହିଥିବା ସୂଚନା ମିଳିଛି।
ଏହା ପୂର୍ବରୁ ଅର୍ଚ୍ଚନା ନାଗ ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ବ୍ୟବସାୟୀ ଅମୀୟକାନ୍ତ ଦାଶଙ୍କୁ ଇଡି ଜେରା କରିସାରିଛି। ଗତକାଲି ଢେଙ୍କାନାଳ ବିଜେଡି ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ ଇଡି ଅଫିସରେ ହାଜର ହୋଇଥିଲେ। ଗଙ୍ଗାଧରଙ୍କୁ ୧୨ ଘଣ୍ଟା ଜେରା ପରେ ଛାଡ଼ିଥିଲା ଇଡି। ଅର୍ଚ୍ଚନାଙ୍କ ସହ ତାଙ୍କର ୩୫ ଲକ୍ଷ ନେଣଦେଣ ହୋଇଥିବା ତଥ୍ୟ ମିଳିବା ପରେ ତାଙ୍କୁ ସମନ କରାଯାଇଥିଲା।
ଇଡି ଅଫିସରୁ ବାହାରି ଗଙ୍ଗାଧର କହିଛନ୍ତି, ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ କାର୍ ଲାଗି ୩୫ ଲକ୍ଷ ୧୧ ହଜାର ଟଙ୍କା ଦେଇ ବୁକିଂ କରିଥିଲେ। ମାତ୍ର ପରେ ଆୟ ସମସ୍ୟା ଦେଖାଇ ବୁକିଂ ରଦ୍ଧ କରିଥିଲେ। ଏହି ବୁକିଂ ଟଙ୍କା ତାଙ୍କୁ ଫେରସ୍ତ କରାଯାଇଥିଲା।
