ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ବ୍ୟବସାୟୀ ଅମିତ ଅରୋରାଙ୍କୁ ଗିରଫ କରିଛି। ଗୁରୁଗ୍ରାମରେ ଥିବା ବଡୀ ରିଟେଲର ମାଲିକ ମଧ୍ୟ ଅମିତ। ତାଙ୍କୁ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ଘନଘନ ଜେରା କରିବା ପରେ ଆଜି ଗିରଫ କରିଛି।

ଅମିତ ଅରୋରା, ଦୀନେଶ ଅରୋରା ଓ ଅର୍ଜୁନ ପାଣ୍ଡେ ହେଉଛନ୍ତି ସିସୋଦିଆଙ୍କ ସହଯୋଗୀ। ଏମାନେ ସମସ୍ତେ ବେଶ ସକ୍ରିୟ ଭାବେ ଅବକାରୀ ନୀତି ଦୁର୍ନୀତିରେ ସାମିଲ ଥିଲେ। ବେଆଇନ ଭାବେ ମଦ ବିକ୍ରି ଲାଇସେନ୍ସକୁ ଏମାନେ ଅଭିଯୁକ୍ତ ସରକାରୀ ଅଧିକାରୀଙ୍କ ଠାରୁ ସଂଗ୍ରହ କରିଥିଲେ। ଏଥିପାଇଁ ବ୍ୟାପକ ଆର୍ଥିକ କାରବାର ହୋଇଥିବା ଇଡି ଅଭିଯୋଗ କରିଛି।

ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ଏଯାଏ ମୋଟ ୫ ଜଣଙ୍କୁ ଗିରଫ କରି ସାରିଲାଣି। ସେହିପରି ୧୬୯ଟି ସ୍ଥାନରେ ରେଡ ମଧ୍ୟ କରିଛି। ପ୍ରଥମେ ଇଡି ମଦ ବ୍ୟବସାୟୀ ସମୀର ମହେନ୍ଦ୍ରଙ୍କୁ ଜେରା କରିବା ପରେ ସେପ୍ଟେମ୍ବର ୨୭ରେ ଗିରଫ କରିଥିଲା

ଏଥିସହ ତାଙ୍କ ନାଁରେ ମଧ୍ୟ ଚାର୍ଜଶିଟ ଦାଖଲ ହୋଇଛି। ଇଡି ମନୀଷ ସିସୋଦିଆଙ୍କ ଠିକଣାରେ ରେଡ କରିବା ସହ ତାଙ୍କୁ ଜେରା କରିଥିଲା। ହେଲେ ଇଡି ଦାଖଲ କରିଥିବା ପ୍ରଥମ ଚାର୍ଜଶିଟରେ ସିସୋଦିଆଙ୍କ ନାଁ ନାହିଁ। ଏହାର ଅର୍ଥ ଇଡି କିମ୍ବା ସିବିଆଇ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିସୋଦିଆଙ୍କ ବିରୋଧରେ କୌଣସି ପ୍ରମାଣ ପାଇ ନଥିବା ଆପ୍‌ କହିଛି।

ସିବିଆଇ ପ୍ରଥମେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସିବିଆଇ ତଦନ୍ତ ଆରମ୍ଭ କରିବା ପୂର୍ବରୁ ଏଫଆଇଆର ରୁଜୁ କରିଥିଲା। ଏଥିରେ ସିସୋଦିଆଙ୍କୁ ୧ନଂ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। କିନ୍ତୁ ସିବିଆଇ ଦାଖଲ କରିଥିବା ଚାର୍ଜଶିଟରେ ମଧ୍ୟ ସିସୋଦିଆଙ୍କ ନାଁ ନାହିଁ ।