ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଗତକାଲି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଶେଷ ହୋଇ ଫଳାଫଳ ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ମୋଟ ୧,୨୦,୮୦୭ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୭୮୧୨୮ଖଣ୍ଡ, କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ୩୫୯୪ଖଣ୍ଡ ଭୋଟ୍ ମିଳିଛି । ଏହାସହିତ ବିଜେଡି ପ୍ରାର୍ଥୀ ବର୍ଷା ୪୨୬୭୯ ଖଣ୍ଡ ଭୋଟ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ପ୍ରଦୀପ ପୁରୋହିତଙ୍କୁ ହରାଇ ବିଜୟୀ ହୋଇଛନ୍ତି । ତେବେ ଏହି ନିର୍ବାଚନରେ ନିଜର ଅମାନତ ହାରିଛି କଂଗ୍ରେସ । ଗତ ସାଧାରଣ ନିର୍ବାଚନରେ ପଦ୍ମପୁରରୁ ଦଳକୁ ମିଳିଥିବା ପାଖାପାଖି ୩୨ ହଜାରରୁ ଅଧିକ ଭୋଟ ଦଳ ଖାତାରୁ ଉଭାନ ହୋଇଯାଇଛି। ତେବେ ପଦ୍ମପୁରରେ ଦଳର ଶୋଚନୀୟ ପରାଜୟ ନେଇ ମୁହଁ ଖୋଲିଛନ୍ତି ଦଳର ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ସେ ଏହି ନିର୍ବାଚନ ଫଳକୁ ଜନାଦେଶ ନୁହେଁ ଧନାଦେଶ ବୋଲି ଅଭିହିତ କରିଛନ୍ତି ।

କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ କହିଛନ୍ତି ଯେ, ଏହା ଜନାଦେଶ ନୁହେଁ । ବରଂ ଏହାକୁ ଧନାଦେଶ କୁହାଯିବ । ବିଜେଡି ଓ ବିଜେପି ଉଭୟ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାସୀନ ଅଛନ୍ତି ଓ ସେମାନେ ଲୋକଙ୍କୁ ଲୁଟି ରଖିଥିବା ବିପୁଳ ଟଙ୍କାକୁ ଖର୍ଚ୍ଚ କରି ନିର୍ବାଚନ ଜିତୁଛନ୍ତି । ଆଗରୁ ଲୋକମାନେ ପ୍ରାର୍ଥୀ ଓ ତାଙ୍କ କାମକୁ ଦେଖି ଭୋଟ୍ ଦେଉଥିଲେ । ଏବେ କିନ୍ତୁ ନିଜର ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ କେତେ ଅର୍ଥ ଖର୍ଚ୍ଚ କରିପାରିବ ତାହା ଦେଖିବାକୁ ମିଳୁଛି । ନିର୍ବାଚନରେ ଯେତିକି ପରିମାଣର ଅର୍ଥ ଖର୍ଚ୍ଚ ହେଉଛି ତାହା କରିବାକୁ କଂଗ୍ରେସ ସକ୍ଷମ ନୁହେଁ । ମୋର ଭଲକାମ ନିର୍ବାଚନରେ ଖର୍ଚ୍ଚ ହୋଇଥିବା ଟଙ୍କା ଆଗରେ ଫିକା ପଡ଼ିଯାଇଥିଲା । ସେମାନେ ଯେତିକି ପୋଷ୍ଟର ଓ ବ୍ୟାନରରେ ଖର୍ଚ୍ଚ କରିଛନ୍ତି ସେତିକି ଅର୍ଥ କଂଗ୍ରେସର ମୋଟ୍ ନିର୍ବାଚନୀ ଖର୍ଚ୍ଚ ନୁହେଁ ବୋଲି ଶ୍ରୀ ସାହୁ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ସତ୍ୟଭୂଷଣ ସାହୁ ୧୯୮୦, ୧୯୮୫ ଓ ୨୦୦୪ରେ ପଦ୍ମପୁର ବିଧାୟକ ଥିଲେ ଓ ସେ କଂଗ୍ରେସ ସରକାର ସମୟରେ ସରକାରୀ ଦଳର ମୁଖ୍ୟ ସଚେତକ ମଧ୍ୟ ରହିଥିଲେ ।