ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଦେଶର ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ମିଳୁଥିବା ମୌଲାନା ଆଜାଦ ନ୍ୟାସନାଲ ଫେଲୋସିପ ବନ୍ଦ କରିଦେଇଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ସଂସଦରେ ସୂଚନା ଦିଆଯାଇଛି । ସରକାର ଏନେଇ ଯୁକ୍ତି ବାଢିଛନ୍ତି ଯେ, ଏହି ଯୋଜନା ଅନ୍ୟ ଯୋଜନାମାନଙ୍କ ଉପରେ ଭାରି ପଡୁଥିବାରୁ ଏହାକୁ ବନ୍ଦ କରାଯାଇଛି । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସ୍ମୃତି ଇରାନୀ ଗୁରୁବାର ଦିନ ଲୋକସଭାରେ କେରଳର ତ୍ରିସୁରରୁ କଂଗ୍ରେସ ସାଂସଦ ଟିଏନ ପ୍ରତାପନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏଭଳି କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ, ମୌଲାନା ଆଜାଦ ଫେଲୋସିପ୍ ଯୋଜନା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ଦ୍ୱାରା ଲାଗୁ କରାଯାଇଥିଲା । ୟୁଜିସି ଦ୍ୱାରା ଦିଆଯାଇଥିବା ପରିସଂଖ୍ୟାନ ମୁତାବକ ୨୦୧୪-୧୫ ଓ ୨୦୨୧-୨୨ ମଧ୍ୟରେ ଏହି ଯୋଜନା କ୍ରମରେ ୬,୭୨୨ ଜଣଙ୍କୁ ଚୟନ କରାଯାଇଥିଲା । ଏହାସହ ସେମାନଙ୍କୁ ୭୩୮.୮୫ କୋଟି ଟଙ୍କା ଫେଲୋସିପ୍ ଆକାରରେ ପ୍ରଦାନ କରାଯାଇଥିଲା । ହେଲେ କେନ୍ଦ୍ର ସରକାରଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଅନ୍ୟ ଫେଲୋସିପ ଉପରେ ଏହି ଯୋଜନା ଭାରି ପଡୁଛି ଓ ଅଳ୍ପସଂଖ୍ୟକ ଛାତ୍ର ଛାତ୍ରୀ ପ୍ରଥମରୁ ଅନ୍ୟ ଯୋଜନାରୁ ଲାଭ ଉଠାଉଛନ୍ତି । ଏହି କାରଣରୁ ୨୦୨୨-୨୩ ଶିକ୍ଷାବର୍ଷରୁ ଏହି ଯୋଜନାକୁ ବନ୍ଦ କରାଯାଇଛି ।
ସୂଚନାଯୋଗ୍ୟ ଯେ, ମୌଲାନା ଆଜାଦ ରାଷ୍ଟ୍ରୀୟ ଫେଲୋସିପ୍ ଯୋଜନା ୨୦୦୯ ମସିହାରେ ଆରମ୍ଭ କରାଯାଇଥିଲା । ଏହା ଅଧିନରେ ୬ ଟି ଅଧିସୂଚିତ ଅଳ୍ପସଂଖ୍ୟକ ସମୁଦାୟ (ବୌଦ୍ଧ, ଇସାଇ, ଜୈନ, ମୁସଲିମ, ପାର୍ସି ଓ ସିଖ) ସମୁଦାୟର ଛାତ୍ରଛାତ୍ରୀମାନଙ୍କୁ ଏମଫିଲ ଓ ପିଏଚଡି କରିବାକୁ ସରକାର ୫ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଉଥିଲେ ।
