ଭୁବନେଶ୍ୱର୧୭/୧୨(ସତ୍ୟପାଠ ବ୍ୟୁରୋ): ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ବେଳେ ଅଘଟଣ। ଜଣେ ଛାତ୍ର ଜାଭେଲିନ୍‌ ଥ୍ରୋ କରିବା ପ୍ରାକ୍ଟିସ୍‌ କରୁ କରୁ ତାହା ଅନ୍ୟ ଜଣେ ଛାତ୍ରଙ୍କ ବେକରେ ପଶିଯାଇଛି । ଏପରି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ। ଜାଭେଲିନ୍‌ ବେକରେ ପଶି ଗୁରୁତର ହୋଇଥିବା ଛାତ୍ର ହେଲେ ନବମ ଶ୍ରେଣୀର ସଦାନନ୍ଦ ମେହେର ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଉଥିଲା। ପ୍ରତିଯୋଗିତା ପୂର୍ବରୁ ଛାତ୍ରମାନେ ଜାଭେଲିନ ପ୍ରାକ୍ଟିସ କରୁଥିଲେ । ଏହି ସମୟରେ ହଠାତ ଜଣେ ଛାତ୍ର ଜାଭଲିନ ଥ୍ରୋ କରୁଥିବା ବେଳେ ଜାଭେଲିନ୍‌ଟି ଦ୍ରୁତ ଗତିରେ ଆସି ପଡ଼ିଆରେ ଉପସ୍ଥିତ ଥିବା ସଦାନନ୍ଦଙ୍କ ବେକରେ ପଶିଗଲା। ସଦାନନ୍ଦଙ୍କ ଚିତ୍କାର ଶୁଣି ଛାତ୍ରଛାତ୍ରୀ ତଥା ସ୍କୁଲ କର୍ତ୍ତୃପକ୍ଷ ରୁଣ୍ଡ ହୋଇ ତୁରନ୍ତ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛନ୍ତି। ଜାଭେଲିନ କାଢ଼ିବା ପାଇଁ ଡାକ୍ତରୀ ଦଳ ଗଠନ କରାଯାଇ ତାଙ୍କ ଅପରେସନ ଚାଲିଥିବା ଜଣାଯାଇଛି । ତେବେ ଏହି ଖବର ପାଇ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖ ମେଡିକାଲରେ ପହଞ୍ଚିଛନ୍ତି ।