ଭୁବନେଶ୍ୱର୧୭/୧୨(ସତ୍ୟପାଠ ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ସୁପ୍ରିମକୋର୍ଟର ଶୀତ ଅବକାଶ । ଦୁଇସପ୍ତାହ ବ୍ୟାପୀ ଏହି ଛୁଟି ଜାରି ରହିବ । ଛୁଟି ସରିବା ପରେ ଜାନୁଆରୀ ୨ରେ ଦେଶର ସର୍ବୋଚ୍ଚ ଅଦାଲତ ଖୋଲିବ । ଶୁକ୍ରବାର ସୁପ୍ରିମକୋର୍ଟରେ ଶେଷ କାର୍ଯ୍ୟଦିବସ ଥିଲା । ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ ଏହି ସୂଚନା ଦେଇଛନ୍ତି । ଗତକାଲି କୋର୍ଟରୁମ୍‌ରେ ଉପସ୍ଥିତ ଓକିଲମାନଙ୍କୁ ସେ କହିଛନ୍ତି ଯେ, ଶନିବାରଠାରୁ ଜାନୁଆରୀ ୧ ପର୍ଯ୍ୟନ୍ତ କୌଣସି ଅବକାଶ ଖଣ୍ଡପୀଠ ରହିବ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ କୋର୍ଟ ଛୁଟି ପ୍ରସଙ୍ଗ ଉଠିଥିଲା । ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମନ୍ନା କହିଥିଲେ ଯେ ବିଚାରପତି ନିଜ ଛୁଟି ବେଳେ ଆରାମ କରନ୍ତି ବୋଲି ଲୋକଙ୍କ ମନରେ ଭ୍ରାନ୍ତଧାରଣା ରହିଛି । ବାସ୍ତବତା ହେଉଛି ବିଚାରପତିମାନେ ସେମାନଙ୍କ ରାୟ ସଂକ୍ରାନ୍ତରେ ଅହରହ ଚିନ୍ତା କରି ରାତିରେ ଠିକ୍‌ ଭାବେ ଶୋଇପାରି ନ ଥାନ୍ତି । ୨୦୨୨ ଜୁଲାଇରେ ରାଞ୍ଚିରେ ‘ଲାଇଫ ଅଫ୍‌ ଏ ଜଜ୍‌’ ଉପରେ ଜଷ୍ଟିସ୍‌ ଏସ୍‌ ବି ସିହ୍ନା ମେମୋରିଆଲ ବକ୍ତୃତା ଦେଇ ଜଷ୍ଟିସ୍‌ ରମନ୍ନା ଆହୁରି କହିଥିଲେ କି ଆମେ ସପ୍ତାହାନ୍ତରେ ବି କାର୍ଯ୍ୟ ଜାରି ରଖୁ । ସାପ୍ତାହିକ ଛୁଟି ଏବଂ ଅନ୍ୟ ଛୁଟିଦିନରେ ଆମେ ପଡ଼ିରହିଥିବା ମାମଲାଗୁଡ଼ିକର ଫଇସଲା ପାଇଁ ଗବେଷଣା କରିଥାଉ । ଏଭଳି ପ୍ରକ୍ରିୟା ମଧ୍ୟରେ ଆମେ ନିଜ ଜୀବନର ଖୁସିକୁ ପାସୋରି ଦେଇଥାଉ ।