ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତ-ବାଂଲାଦେଶ ୨ୟ ଟେଷ୍ଟ ମ୍ୟାଚ୍‌ ଜାରି ରହିଛି। ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ଭାରତ ଜିତିବା ଲକ୍ଷ୍ୟ ରଖିଛି। ଶେର୍‌ ବାଂଲା ନ୍ୟାସନାଲ ଷ୍ଟାଡିୟମ୍‌ରେ ବାଂଲାଦେଶ ପ୍ରଥମ ପାଳିରେ ୨୨୭ ରନ୍‌ ଓ ଦ୍ବିତୀୟ ପାଳିରେ ୨୩୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି। ଭାରତ ପ୍ରଥମ ପାଳିରେ ୩୧୪ ରନ୍‌ ସଂଗ୍ରହ କରିଥିବାରୁ ଏହି ମ୍ୟାଚ୍‌ ସହ ସିରିଜକୁ ୨-୦ରେ ଜିତିବାକୁ ୧୪୫ ରନ୍‌ ଦରକାର କରୁଛି।

ତେବେ ରିପୋର୍ଟ ଲେଖାଯିବା ବେଳକୁ ଭାରତର ଦ୍ବିତୀୟ ପାଳି ଆରମ୍ଭରୁ ଭଲ ସ୍କୋର ମିଳିନାହିଁ। ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯୟର ସାମନା କରିଛି। ମାତ୍ର ୩୨ ରନ୍‌ ସଂଗ୍ରହ କରି ଭାରତ ୩ଟି ମୂଲ୍ୟବାନ ୱିକେଟ୍‌ ହରାଇସାରିଛି। ଅଧିନାୟକ କେଏଲ୍‌ ରାହୁଲ ୭ଟି ବଲ୍‌ ଖେଳି ମାତ୍ର ୨ ରନ୍‌ ସଂଗ୍ରହ କରି ପାଭଲିଅନ୍‌ ଫେରି ଯାଇଛନ୍ତି। ସେହିପରି ଚେତେଶ୍ବର ପୂଜାରା ୧୨ଟି ବଲ୍‌ ଖେଳି ମାତ୍ର ୬ ରନ୍‌ କରି ଆଉଟ୍‌ ହୋଇଛନ୍ତି। ପ୍ରାରମ୍ଭିକ ବ୍ୟାଟର ଶୁଭମାନ ଗିଲ ୩୫ଟି ବଲ୍‌ ଖେଳି ୭ ରନ୍‌ କରିଛନ୍ତି।

ଦ୍ୱିତୀୟ ପାଳିରେ ବାଂଲାଦେଶ ପକ୍ଷରୁ ଲିଟନ କୁମାର ଦାସ ଲଢ଼ୁଆ ବ୍ୟାଟିଂ କରିଥିଲେ। ସେ ୯୮ଟି ବଲ୍‌ ଖେଳି ୭ଟି ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୭୩ ରନ୍‌ କରିଥିଲେ। ତସ୍କିନ ଅହମଦ ଅପରାଜିତ ୩୧ ରନ କରିଥିଲେ ମଧ୍ୟ ଭାରତକୁ ବଡ଼ ଟାର୍ଗେଟ ଦେବାକୁ ସକ୍ଷମ ହୋଇଇପାରି ନାହାନ୍ତି।

ଦ୍ୱିତୀୟ ପାଳିରେ ଭାରତ ପାଇଁ ଅକ୍ଷର ପଟେଲ ସର୍ବାଧିକ ୩ଟି ୱିକେଟ ନେଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ଓ ମହମ୍ମଦ ସିରାଜଙ୍କୁ ୨ଟି ଲେଖାଏ ୱିକେଟ୍‌ ମିଳିଥିଲା। ସେହିପରି ଉମେଶ ଯାଦବ ଓ ଜୟଦେବ ଉନାଦକତଙ୍କ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।