ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): ଓ୍ଵିକିପିଡିଆ ଭରସାରେ ରୁହ ନାହିଁ। ଏହା ସଂପୂର୍ଣ୍ଣ ବିଶ୍ଵାସଯୋଗ୍ୟ ନୁହେଁ। ମଙ୍ଗଳବାର ଏକ ମାମଲାର ଶୁଣାଣି ବେଳେ ଦେଶର ଅଦାଲତଗୁଡିକୁ ଏଭଳି ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ କହିଛନ୍ତି ଯେ, ଆଇନ ସଂକ୍ରାନ୍ତୀୟ ମାମଲାର ସମାଧାନ ପାଇଁ ଓ୍ଵିକିପିଡିଆର ଭରସାରେ ରୁହାନଯାଉ।
ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ବିକ୍ରମ ନାଥଙ୍କ ପୀଠଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଓ୍ଵିକିପିଡିଆରେ ତଥ୍ୟ ସାଧାରଣ ଲୋକଙ୍କ ସୂଚନା ପାଇଁ ଦିଆଯାଏ। ପୁଣି ଏହାର ସଂଶୋଧନ କରାଯାଏ। ତେଣୁ ଓ୍ଵିକିପିଡିଆରେ ଥିବା ସୂଚନା ସଠିକ୍ ନା ନାହିଁ ତାହା ଆକଳନ କରାଯାଇ ପାରିବ ନାହିଁ।
ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା ଦୁନିଆରେ ଏକ ନିଃଶୁଳ୍କ ସୂଚନାର ସ୍ରୋତ ହୋଇପାରେ, ମାତ୍ର ଆଇନଗତ ମାମଲାରେ ଏହାର ତଥ୍ୟ ଦେବା ସମୟରେ ଆମକୁ ସତର୍କ ରହିବା ଉଚିତ୍। ଆମେ ଏଥିପାଇଁ କହୁଛୁ କାରଣ ଜ୍ଞାନର ଭଣ୍ଡାର ହେବା ସତ୍ତ୍ଵେ ଏହି ପ୍ଲାଟଫର୍ମ ସଂପୂର୍ଣ୍ଣ ଭାବେ ଭରସାଯୋଗ୍ୟ ନୁହେଁ। କାରଣ ଏଠାରେ ସାଧାରଣ ଲୋକଙ୍କ ଦ୍ଵାରା ବିନା କୌଣସି ନୀରିକ୍ଷଣରେ ସୂଚନା ଲେଖାଯାଏ ଏବଂ ପୁଣି ସଂଶୋଧନ କରାଯାଏ।
ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, ଅଦାଲତ ଏବଂ ନିର୍ଣ୍ଣାୟକାରୀ ପ୍ରାଧିକରଣକୁ ଶୁଣାଣି ସମୟରେ ଅଧିକ ଭରସାଯୋଗ୍ୟ ଏବଂ ସଠିକ୍ ସ୍ରୋତର ତର୍କ ଦେବା ଉଚିତ୍। ଏହି ସମୟରେ ସୁପ୍ରିମକୋର୍ଟ କମିସନର ଅଫ କଷ୍ଟମ ବେଙ୍ଗାଲୁରୁ ବନାମ ଏସେର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍(୨୦୦୮)୧ ଏସଏସସି ୩୮୨ର ଉଦାହରଣ ଦେଇଥିଲେ। ଉକ୍ତ ମାମଲାରେ କୁହାଯାଇଥିଲା ଯେ, ଓ୍ଵିକିପିଡିଆ ଏକ ଅନଲାଇନ ଇନସାକ୍ଲୋପିଡିଆ ଅଟେ। ଏଠାରେ ଯେକୌଣସି ବ୍ୟକ୍ତି ସୂଚନା ଦେଇ ପାରିବେ ଏବଂ ସଂଶୋଧନ କରି ପାରିବେ। ତେଣୁ ଓ୍ଵିକିପିଡିଆ ସଂପୂର୍ଣ୍ଣ ବିଶ୍ଵାସଯୋଗ୍ୟ ନୁହେଁ ବିଶେଷ କରି ନ୍ୟାୟିକ ମାମଲାରେ ଏହାକୁ ବିଶ୍ୱାସକୁ ନିଆଯିବା ଉଚିତ୍ ନୁହେଁ।





