ଭୁବନେଶ୍ୱର,୧୧/୨(ସତ୍ୟପାଠ ବ୍ୟୁରୋ): ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସିଙ୍ଗାପୁରରେ ସଫଳ କିଡ଼ନୀ ପ୍ରତିରୋପଣ ପରେ ଶନିବାର ଭାରତ ଫେରିବେ। ଏନେଇ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।
ଟୁଇଟ୍ କରି ସେ ସମର୍ଥକଙ୍କୁ ଧନ୍ୟବାଦ ଜଣାଇବା ସହ ବାପାଙ୍କୁ ଭେଟିବାକୁ ଚାହୁଁଥିବା ସମର୍ଥକଙ୍କୁ ସତର୍କତା ଅବଲମ୍ବନ କରିବାକୁ ସେ ନିବେଦନ କରିଛନ୍ତି। ଗତ ବର୍ଷ ଡିସେମ୍ବର ୨ ତାରିଖରେ ଲାଲୁ ପ୍ରସାଦ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ କିଡ଼ନୀ ପ୍ରତିରୋପଣ କରାଯାଇଥିଲା। ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଲାଲୁ ଯାଦବଙ୍କୁ କିଡ଼ନୀ ଦେଇଥିଲେ। ।
ପିତା ଲାଲୁଙ୍କୁ କିଡ଼ନୀ ଦାନ କରିଥିବା ଝିଅ ରୋହିଣୀ ଆଚାର୍ଯ୍ୟ ଟୁଇଟର୍ରେ ହୃଦୟସ୍ପର୍ଶୀ ନିବେଦନ କରି ଲେଖିଛନ୍ତି ଯେ, ଜରୁରୀ କଥାଟିଏ କହୁଛି। ତାହା ହେଲା ଆମ ନେତା ଲାଲୁଙ୍କ ସ୍ବାସ୍ଥ୍ୟ କଥା। ଆଜି ବାପା ସିଙ୍ଗାପୁରରୁ ଭାରତକୁ ଯିବେ। ଝିଅ ହିସାବରେ ମୁଁ ମୋର କର୍ତ୍ତ୍ୟବ କରୁଛି। ଆରୋଗ୍ୟ କରାଇବା ପରେ ବାପାଙ୍କୁ ଆପଣମାନଙ୍କ ଗହଣକୁ ପଠାଉଛି। ଏଥର ଆପଣମାନେ ବାପାଙ୍କର ଦେଖାଶୁଣା କରିବେ।
ଆଉ ଏକ ଟୁଇଟ୍ରେ ସେ ଲେଖିଛନ୍ତି ଯେ, ବାପାଙ୍କ ପ୍ରତି ଆପଣମାନଙ୍କ ଶ୍ରଦ୍ଧା ଅସୀମ। ବାପା ଭାରତରେ ପହଞ୍ଚିବା ପରେ ଆପଣମାନେ ତାଙ୍କୁ ଭେଟିବାକୁ ଆସିବେ। ଡାକ୍ତରମାନେ କହିଛନ୍ତି, ତାଙ୍କୁ ଭେଟିବା ବେଳେ ମାସ୍କ୍ ପିନ୍ଧିବେ। ଯେକୌଣସି ପ୍ରକାର ସଂକ୍ରମଣରୁ ତାଙ୍କୁ ଦୂରେଇ ରଖିବା ବଡ଼ କଥା ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ବହୁତ ଲୋକଙ୍କୁ ନ ଭେଟିବା ପାଇଁ ମଧ୍ୟ ଡାକ୍ତରମାନେ ବାପାଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ ଯେ, ସିଙ୍ଗାପୁରସ୍ଥିତ ମାଉଣ୍ଟ୍ ଏଲିଜାବେଥ୍ ହସ୍ପିଟାଲ୍ରେ ଲାଲୁ କିଡ୍ନି ପ୍ରତିରୋପଣ କରାଇଛନ୍ତି। ଲାଲୁଙ୍କର ଦୁଇଟିଯାକ କିଡ୍ନି ଅକାମି ହୋଇଯିବାରୁ ଜୀବନ ବଞ୍ଚାଇବାକୁ ଝିଅ ରୋହିଣୀ ତାଙ୍କୁ ନିଜ କିଡ୍ନିରୁ ଗୋଟିଏ ଦେଇଛନ୍ତି।





