ଭୁବନେଶ୍ୱର,୧୮/୨(ସତ୍ୟପାଠ ବ୍ୟୁରୋ): ଦେଶରେ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ ବୟାନ ଦେଇଛନ୍ତି । ନୀତିଶ କୁମାର କହିଛନ୍ତି କି, ଭାରତ ଯୋଡ ଯାତ୍ରା ପରେ କଂଗ୍ରେସ ସାମ୍ନାକୁ ଆସିବା ଆବଶ୍ୟକ ରହିଛି । ଏହାସହ ସବୁ ବିରୋଧୀମାନଙ୍କୁ କିଭଳି ତୁରନ୍ତ ଏକାଠି କରାଯାଇ ପାରିବ ତାହା ଉପରେ କଂଗ୍ରେସ ତୁରନ୍ତ ଚେଷ୍ଟା କରିବା ଦରକାର । ବିହାରର ରାଜଧାନୀ ପାଟନାରେ ସିପିଆଇ (ଏମଏଲ) ର ରାଷ୍ଟ୍ରୀୟ କନଭେନସନରେ ଉପସ୍ଥିତ ରହି ନୀତିଶ କୁମାର ଏଭଳି ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ପଦକୁ ନେଇ ନୀତିଶ କହିଛନ୍ତି କି, ନେତୃତ୍ୱକୁ ନେଇ ମୋର କୌଣସି ବ୍ୟକ୍ତିଗତ ଇଚ୍ଛା ନାହିଁ । ମୁଁ କେବଳ ପରିବର୍ତ୍ତନ ଚାହୁଁଛି, ସମସ୍ତେ ମିଶି ଯାହା ନିଷ୍ପତ୍ତି କରିବେ ତାହା ହିଁ ହେବ । ନୀତିଶ କହିଛନ୍ତି କି ଏବେ କଂଗ୍ରେସ ଆଗକୁ ଆସି ବିନା ଡେରିରେ ବିରୋଧୀମାନଙ୍କୁ ଏକଜୁଟ କରିବାର ସମୟ ଆସିଛି ।
ଏହାସହ ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏନେଇ ସେ ଅପେକ୍ଷା କରିଛନ୍ତି ଓ ଏହା ପୂର୍ବରୁ ଦିଲ୍ଲୀ ଯାଇ ରାହୁଲ ଓ ସୋନିଆଙ୍କ ସହ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ସଲମାନ ଖୁର୍ସିଦଙ୍କ ମାଧ୍ୟମରେ କଂଗ୍ରେସ ନେତୃତ୍ୱଙ୍କୁ ପରାମର୍ଶ ଦେଇଛନ୍ତି କି, ଯଦି କଂଗ୍ରେସ ବିରୋଧୀମାନଙ୍କୁ ଏକାଠି କରିବାରେ ସମର୍ଥ ହେବ ତେବେ ବିଜେପି ୧୦୦ ଆସନରେ ଅଟକି ଯିବ ।
କେବଳ ନୀତିଶ କୁମାର ନୁହଁନ୍ତି ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି କି ବିଜେପିକୁ ପରାଜିତ କରିବାକୁ ହେଲେ ଆଞ୍ଚଳିକଦଳମାନଙ୍କୁ କଂଗ୍ରେସ ଡ୍ରାଇଭିଂ ସିଟ ଛାଡିବା ଦରକାର । ଏହାସହ ବିଜେପି ସହ ସିଧା ମୁକାବିଲା କଥା ଆସିବ ସେଠାରେ କଂଗ୍ରେସ ଲଢିବାର ଆବଶ୍ୟକତା ରହିଛି ।
ସେପଟେ ନୀତିଶ କୁମାର ଓ ତେଜସ୍ୱୀ ଯାଦବଙ୍କ ବୟାନକୁ ନେଇ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ବୟାନ ରଖିଛନ୍ତି । ସେ କହିଛନ୍ତି କି ନୀତିଶ କୁମାର ଓ ତେଜସ୍ୱୀ ଯାଦବ ଯାହା ଚାହୁଁଛନ୍ତି ତାହା କଂଗ୍ରେସ ମଧ୍ୟ ଚାହୁଁଛି । ସେ କହିଛନ୍ତି କି ପ୍ରେମରେ ମଧ୍ୟ ବେଳେ ବେଳେ ବଡ ସମସ୍ୟା ଦେଖା ଦେଇଥାଏ । ଯାହା କି, କିଏ ଆଇ ଲଭ୍ ୟୁ ପ୍ରଥମେ କହିବ ।ବିରୋଧୀମାନେ ଖୁବଶୀଘ୍ର ଏକଜୁଟ୍ ହେବା ଦରକର ବୋଲି ମୋର ମଧ୍ୟ ବିଶ୍ୱାସ ରହିଛି।





