‘ମୋତେ ଏପରି ଏକ ଦଳ ଦେଖାଅ ଯିଏ ବିଜେପି ସହ ସମ୍ପର୍କରେ ନାହିଁ’: ବିରୋଧୀ ଏକତାକୁ ନେଇ ଦେବଗୌଡ଼ାଙ୍କ ବୟାନ

ଭୁବନେଶ୍ୱର,୮/୬(ସତ୍ୟପାଠ ବ୍ୟୁରୋ): ଆସନ୍ତା ଜୁନ ୨୩ ତାରିଖରେ ବିହାରର ପାଟଣା ରେ ଏକାଠି ହେବେ ମୋଦି ବିରୋଧୀ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆହ୍ୱାନ କ୍ରମେ ଏହି ବୈଠକରେ କଂଗ୍ରେସ, ଟିଏମସି, ଡ଼ିଏମକେ, ଆପ, ସପିଏଇ, ସିପିଆଇ(ଏମ) ଭଳି ଅନେକ ଦଳ ସାମିଲ ହେବେ ବୋଲି ସୂଚନା ମିଳିଛି । ହେଲେ ବିରୋଧୀଙ୍କ ଏହି ମେଳି ପୂର୍ବରୁ ସେମାନଙ୍କୁ ଲାଗିଛି ଜୋରଦାର ଝଟକା। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ (ସେକ୍ୟୁଲାର) ମୁଖ୍ୟ ଏଚଡି ଦେବଗୌଡ଼ା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଗଠିତ ହେଉଥିବା ବିରୋଧି ମେଣ୍ଟରେ ସାମିଲ ହେବେ ନାହିଁ ବୋଲି ମନା କରିଛନ୍ତି। ଏହା ସହିତ ସେ ବିରୋଧି ଦଳ ଗୁଡ଼ିକୁ ଟାର୍ଗେଟ ମଧ୍ୟ କରିଛନ୍ତି।

ମଙ୍ଗଳବାର ବେଙ୍ଗାଲୁରୁ ସ୍ଥିତ ଜେପି ଭବନରେ ଏକ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀଙ୍କୁ ଏକାଠି କରିବାକୁ ନୀତିଶ କୁମାରଙ୍କ ପ୍ରୟାଶକୁ ନେଇ କରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ”ଏବେ ମୋତେ ଏପରି ଏକ ଦଳ ବିଷୟରେ କୁହନ୍ତୁ ଯିଏ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷ ଭାବେ ବିଜେପି ସହିତ ସମ୍ପର୍କରେ ନାହିଁ। ମୋତେ ଏପରି ଏକ ଦଳ ଦେଖାଅ ଯିଏ ବିଜେପି ସହିତ କେବେବି ହାତ ମିଶାଇ ନାହିଁ। ଏହା ପରେ ମୁଁ ବିରୋଧି ଦଳର ଏକତା ବିଷୟରେ କହିବି। ସମସ୍ତ ପାର୍ଟି ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷ ଭାବେ ବିଜେପି ସହ ହାତ ମିଳାଇଛନ୍ତି। ଏଥିରେ କଂଗ୍ରେସ ପାର୍ଟିର ଅନେକ ନେତା ମଧ୍ୟ ସାମିଲ ଅଛନ୍ତି”।

ଏହାସହିତ ସେ ଆହୁରି କହିଛନ୍ତି ଯେ, ଜେଡିଏସକୁ ଲୋକସଭା ନିର୍ବାଚନ ପାଇଁ ଚିନ୍ତା ନାହିଁ। ଆଗକୁ ଜିଲ୍ଲା ପରିଷଦ, ଗ୍ରାମ ପଞ୍ଚାୟତ ଓ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମପି) ନିର୍ବାଚନ ଆସୁଛି। ଏହି ନିର୍ବାଚନରେ ଦଳକୁ ମିଳିଥିବା ଜନ ସମର୍ଥନ ଆଧାରରେ ଆଗାମି ଲୋକସଭା ନିର୍ବାଚନରେ ପାର୍ଟି କେତୋଟି ନିର୍ବାଚନ କ୍ଷେତ୍ର କେଉଁ କେଉଁ ଆସନରୁ ଲଢ଼ିବ ତାହା ସ୍ଥିର ହେବ। ୨୦୨୪ରେ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳଙ୍କ ଗଠବନ୍ଧନ ବିଷୟରେ ପଚାରିବାରୁ ସେ କହିଛନ୍ତି, ଏନେଇ ଦଳ କୌଣସି ନିଷ୍ପତ୍ତି ନେଇ ନାହିଁ। ସର୍ବପ୍ରଥମେ ଆମେ ସ୍ଥାନୀୟ ମହାନଗର ନିର୍ବାଚନ ପାଇଁ ଦଳକୁ ମଜଭୁତ କରିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି।

ସେହିପରି ସେ ୨୦୨୪ରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ କି ନାହିଁ ପଚାରିବାରୁ ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି। ଏଚଡି ଦେବଗୌଡ଼ା କହିଛନ୍ତି, ମୋର ଏବେ ୯୧ ବର୍ଷ। ଏବେ ଆଉ ଲୋକସଭା ନିର୍ବାଚନ ଲଢ଼ିବାର ପ୍ରଶ୍ନ ଉଠୁନି। ନିର୍ବାଚନ ରଣାଙ୍ଗନରେ କାହାକୁ ଅଣାଯିବ ତାହା ଦଳ ସ୍ଥିର କରିବ। ବିଧାନସଭା ନିର୍ବାଚନରେ ହାରିବାକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାମାନେ ନିରାଶ ହେବା ଉଚିତ ନୁହେଁ। ଦଳରେ ପ୍ରତ୍ୟକ ସ୍ତରରେ ପରିବର୍ତ୍ତନ କରାଯିବ। ଦଳକୁ ପୁଣି ଥରେ ସୁଦୃଢ଼ କରିବା ଆମର ଆଗାମି ଲକ୍ଷ ରହିବ ବୋଲି ସେ କହିଛନ୍ତି।

ସେପଟେ ଦେବଗୌଡ଼ାଙ୍କ ଏଭଳି ମନ୍ତବ୍ୟ ପରେ ଏବେ ବିରୋଧୀ ଏକତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି | ୧୨ ଜୁନ ରେ ହେବାକୁ ଥିବା ବୈଠକ ବାତିଲ ହୋଇ ୨୩ ତାରିଖରେ ହେବ ବୋଲି ସୂଚନା ମିଳିଛି | ଏହି ବୈଠକରେ ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ଷ୍ଟାଲିନ, ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ଆସିବା ନେଇ ସ୍ପଷ୍ଟ ହୋଇଥିବା ବେଳେ ଏହି ମେଳି ଆସନ୍ତା 2024ରେ ବିଜେପିକୁ କିଭଳି ଟକ୍କର ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା |

Related Posts