ସ୍କୁଲ ଫି ଦେଇପାରିଲେନି ଜଣେ ତୃତୀୟ ଶ୍ରେଣୀ ଛାତ୍ର: ଶିକ୍ଷକଙ୍କ ମାଡରେ ଚାଲିଗଲା ଜୀବନ

ବହରାଇଚ: ଉତ୍ତର ପ୍ରଦେଶର ବହରାଇଚର ସିରସିଆ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍କୁଲ ଶିକ୍ଷକଙ୍କ ନାରକୀୟ କାଣ୍ଡ ଘଟାଇଛନ୍ତି । ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିବା ଦ୍ଵାରା ତାଙ୍କର ମୃତ୍ୟୁ ଘଟିଛି।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଶିକ୍ଷକଙ୍କ ମାଡରେ ପୁଅର ମୃତ୍ୟୁ ଘଟିଛି। ପୋଲିସ୍ ଅନୁଯାୟୀ, ପିଲାଟି ଗାଁ ପାଖ ସ୍କୁଲରେ ପଢୁଥିଲା। ହେଲେ ବୁଧବାର ହସ୍ପିଟାଲ୍‌ରେ ପିଲାଟିର ମୃତ୍ୟୁ ଘଟିଛି। ଫି କାରଣରୁ ପିଲାଟିକୁ ଶିକ୍ଷକ ମାଡ ମାରିବାରୁ ତାର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।

ମୃତକଙ୍କ ଭାଇ ରାଜେଶ ବିଶ୍ଵକର୍ମା କହିଛନ୍ତି, ମୋ ଭାଇଙ୍କୁ ସ୍କୁଲ ଶିକ୍ଷକ ୨୫୦ ଟଙ୍କା ମାସିକ ସ୍କୁଲ ଫି କାରଣରୁ ପିଟିଥିଲେ। ମୁଁ ଭାଇର ଅନଲାଇନ୍‌ ସ୍କୁଲ୍ ଫି ଭରିଥିଲି। ମାତ୍ର ଶିକ୍ଷକ ଏହା ଜାଣିନଥିଲେ। ତାଙ୍କୁ ଲାଗିଲା ଯେ, ପିଲାଟି ସ୍କୁଲ୍ ଫି ଭରି ନାହିଁ। ଏହି କାରଣରୁ ସେ ଭାଇଙ୍କୁ ଖୁବ୍ ପିଟିଥିଲେ। ଭାଇର ହାତ ଭାଙ୍ଗି ଦେଇଥିଲେ। ମୋ ଭାଇଙ୍କୁ ସ୍କୁଲ ଲୋକ ପିଟି ପିଟି ମାରି ଦେଇଛନ୍ତି ବୋଲି ରାଜେଶ କହିଛନ୍ତି। ଏସପି ଅରବିନ୍ଦ କୁମାର ମୌର୍ଯ୍ୟଙ୍କ ଅନୁଯାୟୀ, ମୃତକ ପିଲାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ପୋଲିସ୍ ମାମଲାର ଯାଞ୍ଚ କରୁଛି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଜଣେ ୯ ବର୍ଷର ପିଲାକୁ ରାଜସ୍ଥାନର ଏକ ସ୍କୁଲରେ ଶିକ୍ଷକ ପିଟି ପିଟି ହତ୍ୟା କରିଥିଲେ। ଶିକ୍ଷକଙ୍କ ଏଭଳି ନାରକୀୟ କାଣ୍ଡ ପଛର କାରଣ ଛାତ୍ର ଜଣକ ଶିକ୍ଷକ ପିଉଥିବା ମାଠିଆରୁ ପାଣି ପିଇ ଦେଇଥିଲା। ପରିବାର ଲୋକେ ଅଭିଯୋଗ କରିଥିଲେ ଯେ, ପିଲାଟିକୁ ଏଥିପାଇଁ ପିଟିଥିଲେ କାରଣ ସେ ଦଳିତ ଥିଲା ଏବଂ ଶିକ୍ଷକ ଉଚ୍ଚ ଜାତିର ଥିଲେ ।

Related Posts