ନାଇଜେରିଆର ଏକ ତେଲ କାରଖାନାରେ ଭୟଙ୍କର ବିସ୍ଫୋରଣ: 108ରୁ ଉର୍ଦ୍ଧ ମୃତ

ଲାଗୋସ୍: ନାଇଜେରିଆର ତେଲ କାରଖାନାରେ ଗତକାଲି ଏକ ଭୟଂକର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଗତକାଲି(ଶନିବାର) ସ୍ଥାନୀୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ରାଜ୍ୟ ଇମୋ ଏବଂ ନଦୀ ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଏଗବେମା ସରକାରୀ ଅଞ୍ଚଳର ବେଆଇନ ତୈଳ ବିଶୋଧନାଗାରରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଜଣେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାଅନୁସାରେ, ଏହି କାରଖାନାକୁ ପୂର୍ବରୁ ବେଆଇନ ଘୋଷଣା କରାଯାଇଥିଲା । ବିସ୍ଫୋରଣ ଘଟିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଫେରାର ଅଛନ୍ତି । ଇମୋର ତୈଳ ଏବଂ ଗ୍ୟାସ ଉତ୍ପାଦନ କ୍ଷେତ୍ରର ସର୍ବୋଚ୍ଚ ପରିଷଦର ସଭାପତି କଲିନ୍ସ ଅଜିଙ୍କ କହିବା ଅନୁଯାୟୀ, ହଠାତ୍ ଏହି ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଭିବା ସହ ଚାରିଆଡେ ଧୂଆଁମୟ ହୋଇଯାଇଥିଲା ।

ବର୍ତ୍ତମାନ ସୁଦ୍ଧା ୧୦୮ ଜଣଙ୍କ ମୃତଦେହ ମିଳିଥିବା ବେଳେ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଛି ।ଅନ୍ୟପଟେ ନାଇଜେରିଆରେ ତେଲ ପାଇପଲାଇନ ଭଙ୍ଗାରୁଜା ଏବଂ ତେଳ ଚୋରୀର ରିପୋର୍ଟ ବାରମ୍ବାର ସାମ୍ନାକୁ ଆସୁଛି । ଯାହାକି ଅନେକ ସମୟରେ ବହୁ କ୍ଷତି ପହଞ୍ଚାଉଛି ।

Related Posts