ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କୁ ଲାଞ୍ଚ ଦେବା ଅଭିଯୋଗରେ କେରଳ ବିଜେପି ସଭାପତିଙ୍କ ବିରୋଧରେ ମାମଲା ରୁଜୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେରଳ ବିଜେପି ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି। ଗତ ଏପ୍ରିଲ ୬ ତାରିଖରେ ହୋଇଥିବା କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଜଣେ ଆଦିବାସୀ ନେତା ତଥା ଜେଆରପି ସଭାପତି ସି କେ ଜାନୁଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗରେ ଗୁରୁବାର ଦିନ କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଲାଞ୍ଚ ଦେଇଥିବା ଅଭିଯୋଗରେ ସୁରେନ୍ଦ୍ରନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କେରଳର ଏକ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଦେବାର ଗୋଟିଏ ଦିନ ପରେ ସୁରେନ୍ଦ୍ରନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ପୋଲିସ କହିଛି ଯେ ଧାରା 171 E (ଲାଞ୍ଚ) ଏବଂ 171 F ଅନୁଯାୟୀ FIR ଦାଖଲ କରାଯାଇଛି। ଗତ କିଛିଦିନ ତଳେ ସି କେ ଜାନୁଙ୍କୁ ଲାଞ୍ଚ ଦେବା ନେଇ ସୁରେନ୍ଦ୍ରନ୍ ଏବଂ ଜେଆରପି ନେତା ପ୍ରସୀତା ଅଜିକୋଡେଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏକ ଅଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୁରେନ୍ଦ୍ରନ୍ ଏବଂ ବିଜେପି ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ ମଧ୍ୟ କୋର୍ଟ ଏହାର ସତ୍ୟତା ଉପରେ ଆଶ୍ବସ୍ତ ଅଛନ୍ତି। ଏପ୍ରିଲରେ କେରଳରେ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସି କେ ଜାନୁଙ୍କୁ ଏନଡିଏକୁ ଫେରାଇ ଆଣିବା ପାଇଁ ସୁରେନ୍ଦ୍ରନ ତାଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) ର ଛାତ୍ର ୱିଙ୍ଗ୍ ମୁସଲିମ୍ ଷ୍ଟୁଡେଣ୍ଟସ୍ ଫେଡେରେଶନର ରାଜ୍ୟ ସଭାପତି ପି କେ ନାଭାସଙ୍କ ଦ୍ବାରା ୱାୟାନାଡର କଲପେଟ୍ଟାସ୍ଥିତ ମାଜିଷ୍ଟ୍ରେଟ୍ କୋର୍ଟରେ କେ ସୁରେନ୍ଦ୍ରନଙ୍କ ବିରୋଧରେ ପିଟିସନ ଦାଖଲ ହୋଇଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ ସୁରେନ୍ଦ୍ରନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଇପିସି ଧାରା 171 B , I71 E (ଲାଞ୍ଚ) ଏବଂ 171 F ଆଧାରରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ଆବେଦନକାରୀ ରାଜ୍ୟ ପୋଲିସ ମୁଖ୍ୟଙ୍କ ନିକଟକୁ ଯାଇ ସୁରେନ୍ଦ୍ରନ ଏବଂ ଜାନୁଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କହିଥିଲେ। କିନ୍ତୁ ସେଠାରୁ କୌଣସି ସୁଫଳ ନମିଳିବାରୁ ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପୂର୍ବରୁ, ଜେଆରଏସ ରାଜ୍ୟ କୋଷାଧ୍ୟକ୍ଷ ପ୍ରସୀତା ଅଜିକୋଡେ ଅଭିଯୋଗ କରିଛନ୍ତି ଯେ ଜାନୁଙ୍କୁ ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏକୁ ଫେରାଇ ଆଣିବା ପାଇଁ ସୁରେନ୍ଦ୍ରନଙ୍କ ଠାରୁ ଜାନୁ ୧୦ କୋଟି ଟଙ୍କା ମାଗିଥିଲେ। କିନ୍ତୁ ଅଭିଯୋଗ ମୁତାବକ ସୁରେନ୍ଦ୍ରନ ଜାନୁଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ, ଯାହା ପରେ ୱାୟାନାଡର ସୁଲତାନ ବାଥେରୀରୁ ଏନଡିଏ ପ୍ରାର୍ଥୀ ଭାବରେ ସି କେ ଜାନୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ନିର୍ବାଚନରେ ପରାସ୍ତ ହୋଇଥିଲେ। ଏହାପୂର୍ବରୁ, ଜୁନ୍ 7 ରେ, ମନଜେଶ୍ୱରମ୍ ବିଧାନସଭା ଆସନରୁ ​​ନାମାଙ୍କନପତ୍ର ଦାଖଲ କରିବା ପାଇଁ କେ ସୁନ୍ଦରା ନାମକ ଜଣେ ବ୍ୟକ୍ତିଙ୍କୁ ଧମକ ଓ ଲାଞ୍ଚ ଦେଇଥିବା ଅଭିଯୋଗରେ କେରଳ ବିଜେପି ସଭାପତି ସୁରେନ୍ଦ୍ରନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ବିଏସପି ପ୍ରାର୍ଥୀ ସୁନ୍ଦରା ପୋଲିସକୁ ଜଣାଇଥିଲେ ଯେ ତାଙ୍କୁ ପ୍ରଥମେ ଧମକ ଦିଆଯାଇଥିଲା ଏବଂ ପରେ ନିର୍ବାଚନରୁ ଓହରି ଯିବା ପାଇଁ ଅଢେଇ ଲକ୍ଷ ଟଙ୍କା ଲାଞ୍ଚ ଦିଆଯାଇଥିଲା। ସେପଟେ ବିଧାନସଭା ନିର୍ବାଚନର ତିନି ଦିନ ପୂର୍ବରୁ ହାଇୱେ ଡକାୟତି ମାମଲାରେ ଲୁଟ୍ ହୋଇଥିବା ଟଙ୍କା ବିଜେପିର ବୋଲି ଥ୍ରୀସୁର ପୋଲିସ କୋର୍ଟରେ ସ୍ପଷ୍ଟ କରିଛି।

Related Posts