କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ କଟାକ୍ଷ – ” ଯଦି ଦିନଟିଏ ବି ତୈଳଦର ବୃଦ୍ଧି ନହୁଏ ଏହା ବଡ ଖବର ହୋଇଯାଉଛି “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଏବେ ଆକାଶ ଛୁଆଁ। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ବିରୋଧୀ ମଧ୍ୟ ମୋଦୀ ସରକାରଙ୍କୁ ଏଥିପାଇଁ ଲଗାତାର ଟାର୍ଗେଟ କରି ଆସୁଛନ୍ତି। ଦେଶର ବିଭିନ୍ନ ସମସ୍ୟାକୁ ନେଇ ମୋଦୀ ସରକାରଙ୍କୁ ଲଗାତର ଟାର୍ଗେଟ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ତୈଳ ଦର ବୃଦ୍ଧିକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। କରୋନା ଟୀକାକରଣ ହେଉ କିମ୍ବା କରୋନା ମହାମାରୀ ପରିଚାଳନାରେ ମୋଦୀ ସରକାରଙ୍କ ବିଫଳତା , ଅତ୍ୟାବଶ୍ୟକ ଔଷଧର ବ୍ଲାକ୍ ମାର୍କେଟିଂ ଏବଂ ଦରବୃଦ୍ଧିକୁ ନେଇ ସେ ମୋଦୀ ସରକାରଙ୍କୁ କାଠ ଗଡାରେ ଛିଡା କରୁଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ରାହୁଲ ଟ୍ୱିଟ୍ କରି କହିଛନ୍ତି,”ମୋଦୀ ସରକାରଙ୍କ ବିକାଶର ସ୍ତର ଏବେ ଏମିତି ହୋଇଯାଇଛି ଯେ ଯଦି ଗୋଟିଏ ଦିନ ବି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନହୁଏ ତେବେ ଏହା ବଡ ଖବର ହୋଇଯାଉଛି।”

ଉଲ୍ଲେଖନୀୟ ବିଷୟ ହେଉଛି, ଦେଶରେ ବିଭିନ୍ନ ସହରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲଗାତର ବୃଦ୍ଧି ଘଟିଛି। ଶୁକ୍ରବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା 28 ରୁ 30 ପଇସା ଏବଂ ଡିଜେଲ ପ୍ରତି ଲିଟର ପିଛା 26 ରୁ 27 ପଇସା ବୃଦ୍ଧି ପାଇଛି। ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦର 100 ପାର କରିଛି। ମୁମ୍ବାଇରେ ପେଟ୍ରୋଲ ଲିଟର 103 ଟଙ୍କା ଉପରେ ରହିଛି। ମେ 4 ତାରିଖରୁ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଲିଟର ପିଛା 6.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା 6.91 ଟଙ୍କା ବୃଦ୍ଧି ପାଇଛି। ଶୁକ୍ରବାର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 96.93 ଟଙ୍କା ଏବଂ ଡିଜେଲ ଲିଟର 87.69 ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 103.08 ଟଙ୍କା ରହିଥିବା ବେଳେ ଡିଜେଲ ଲିଟର 94.14 ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା 98.15 ଟଙ୍କା ଏବଂ ଡିଜେଲ ଲିଟର ପିଛା 92.31 ଟଙ୍କାରେ ବିକ୍ରି ହେଉଛି। ଏବଂ କୋଲକାତାରେ ପେଟ୍ରୋଲର ମୂଲ୍ୟ 96.84 ଟଙ୍କା ଏବଂ ଡିଜେଲ ଲିଟର ପିଛା 90.54 ଟଙ୍କାକୁ ବୃଦ୍ଧି ପାଇଛି।

Related Posts