ପାର୍ବଣ ପୂର୍ବରୁ ବସିଲା ସମନ୍ଵୟ ବୈଠକ, ଏଥର ରାଜଧାନୀର ୧୭୮ ପୂଜା ମଣ୍ଡପରେ ଦର୍ଶନ ଦେବେ ମା ଦୁର୍ଗା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀର୍ଘ ଦୁଇ ବର୍ଷ ପରେ ରାଜଧାନୀ‌ରେ ଚଳିତଥର ପୁଣି ଜାକଜମକରେ ମା’ ଦୁର୍ଗାଙ୍କ ପୂଜା ଆୟୋଜନ ହେବ। ଏଥିପାଇଁ ଉଭୟ ଭକ୍ତ ଓ ଆୟୋଜକଙ୍କ ମହଲରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଏବର୍ଷ ରାଜଧାନୀ ଓ ଉପକଣ୍ଠକୁ ମିଶାଇ ମୋଟ ୧୭୮ ଟି ପୂଜା ମଣ୍ଡପରେ ମା’ ଦର୍ଶନ ଦେବେ। କୌଣସି କଟକଣା ନଥିବାରୁ କରୋନା ପୂର୍ବବର୍ତ୍ତୀ ବର୍ଷମାନଙ୍କ ଭଳି, ବଡ଼ବଡ଼ ତୋରଣ ସାଙ୍ଗକୁ ରଙ୍ଗିନ୍‌ ଆଲୋକରେ ପୂଜା ମଣ୍ଡପଗୁଡ଼ିକ ଝଲସିବ। ମା’ଙ୍କ ମୂର୍ତ୍ତିର ଉଚ୍ଚତାକୁ ନେଇ ମଧ୍ୟ କୌଣସି ବାରଣ ନ ଥିବା ବେଳେ ରାବଣପୋଡ଼ି ଓ ଭସାଣ ଉତ୍ସବ ମଧ୍ୟ ଜାକଜମକରେ ହେବ। ଏଥିପାଇଁ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଜୋରସୋର୍‌ରେ ଆରମ୍ଭ ହୋଇଯାଇଥିବା ବେଳେ ଆଜି ପୁଲିସ୍‌ ସେବା ଭବନରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍‌ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏହି ବୈଠକରେ ପୂଜା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ, ସୁରୁଖୁରୁରେ ରାବଣ ପୋଡ଼ି ଓ ଭସାଣି ଯାତ୍ରା ଆଦି ବିଭିନ୍ନ ଦିଗ ସଂପର୍କରେ ଆଲୋଚନା ହୋଇଯାଇଛି।

ମା’ଙ୍କ ମୃଣ୍ମୟ ମୂର୍ତ୍ତି କିମ୍ବା ପାର୍ଶ୍ବ ଦେବଦେବୀଙ୍କ ମୂର୍ତ୍ତିରେ ଯେପରି କୌଣସି ରାସାୟନିକ ରଙ୍ଗ ବ୍ୟବହାର ନ ହେବ, ତାହା ଉପରେ ବିଶେଷଭାବେ ଗୁରୁତ୍ବାରୋପ କରାଯାଇଛି। ସେହିପରି ପୂଜା ମଣ୍ଡପରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ବ୍ୟବହାରକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ତେବେ ପୂଜା କମିଟିଗୁଡ଼ିକ ରାଜଧାନୀର କଦର୍ଯ୍ୟ ଅବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ତେଣୁ ଖରାପ ରାସ୍ତାଗୁଡ଼ିକୁ ଶୀଘ୍ର ଠିକ୍‌ କରିବା ପାଇଁ ପୂର୍ତ୍ତ, ବିଏମ୍‌ସି ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା।

ବୈଠକରେ ଉପସ୍ଥିତ ମେୟର୍‌ ସୁଲୋଚନା ଦାସ ସମିତି ସଦସ୍ୟମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଏଥର ରାସ୍ତା କାମ ପାଇଁ ପ୍ରତି ୱାର୍ଡକୁ ୫ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯିବ। ସେହିପରି କିଛି ପୂଜା ସମିତି ଅଭିଯୋଗ କରିଥିଲେ ଯେ ପୂଜା ସମୟରେ ଅଗ୍ନିଶମ ବିଭାଗ ସ୍ବୀକୃତି ଦେବାରେ ବିଳମ୍ବ କରିବାର ପୂର୍ବରୁ ନଜିର ରହିଛି। ତେଣୁ ଏଥର ଯେମିତି ସେ ସମସ୍ୟା ନ ଉପୁଜେ, ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି। ଏହାବ୍ୟତୀତ ରାଜଧାନୀ‌ରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତା’ର ଓହଳି ପଡ଼ିଥିବା ବେଳେ ପୂଜା ସମୟରେ ତାହା ଲୋକଙ୍କ ପାଇଁ ବିପଦ ସାଜିପାରେ। ତେଣୁ ପୂଜା ପୂର୍ବରୁ ସେଗୁଡ଼ିକୁ ସଜାଡ଼ିବା ପାଇଁ କୁହାଯାଇଥିଲା। ଉପସ୍ଥିତ ଅଗ୍ନିଶମ ବିଭାଗ, ପୂର୍ତ୍ତ ବିଭାଗ, ଟାଟା ପାୱାର ଏବଂ ବିଏମ୍‌ସିର ଅଧିକାରୀ ଏବଂ କର୍ମଚାରୀ ସମସ୍ତ ସହାୟତା ଯେଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ।

ବୈଠକରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ବିଧାୟକ ସୁଶାନ୍ତ ରାଉତ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ସ୍ବାଇଁ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ଡିସିପି ପ୍ରତୀକ ସିଂ ଏବଂ ଅତିରିକ୍ତ କମିସନର (ବିଏମ୍‌ସି) ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖଙ୍କ ସମେତ ରାଜଧାନୀ ମନ୍ଦିର ସୁରକ୍ଷା ସମିତିର ଦିଲ୍ଲୀପ ମହାନ୍ତି, ଭସାଣୀ କମିଟିର ମଧୁମାଧବ ଜେନା ଓ ବିଭିନ୍ନ ପୂଜା କମିଟିର ସଭାପତି, ସଂପାଦକ ଉପସ୍ଥିତ ଥିଲେ।

Related Posts