ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନ ଗାଦିଚୁ୍ୟତ ହେବା ପରେ ଆଜି ନୂତନ ପ୍ରଧାନମନ୍ତ୍ରୀ ପାଇଁ ନିର୍ବାଚନ ପ୍ରକି୍ରୟା ଚାଲିଛି । ସେପଟେ ଏହି ପ୍ରକି୍ରୟାକୁ ବହିଷ୍କାର କରି ଇମ୍ରାନ ଖାନ ଏବଂ ତାଙ୍କ ସମର୍ଥକମାନେ ସଂସଦ ବାହାରକୁ ଚାଲି ଆସିଥିଲେ । ଇମ୍ରାନ ଖାନ ବାହାରକୁ ଆସି ବିରୋଧୀଙ୍କୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଯେଉଁ ବ୍ୟକ୍ତିଙ୍କ ଉପରେ ୧୬ ବିଲିୟନ ଏବଂ ୮ ବିଲିୟନ ଟଙ୍କାର ଦୁର୍ନୀତି ମାମଲା ରହିଛି ସେ ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଏହା ଦେଶ ପାଇଁ ଲଜ୍ଜାଜନକ ବିଷୟ।

ଏଥିପାଇଁ ତେହେରିକ୍-ଇ-ଇନସାଫର ସମସ୍ତ ସଦସ୍ୟ ଇସ୍ତଫା ଦେବା ସହ ଏହି ନିର୍ବାଚନକୁ ବର୍ଜନ କରୁଛୁ ବୋଲି ଇମ୍ରାନ ଖାନ କହିଥିଲେ । ସେପଟେ ଅନାସ୍ଥା ଭୋଟରେ ସରକାର ପରାଜିତ ହେବା ପରେ ଇମ୍ରାନଙ୍କର ପ୍ରାୟ ସାଢ଼େ ୩ ବର୍ଷ ଶାସନର ଅନ୍ତ ଘଟିଥିଲା। ପାକିସ୍ତାନର ୭୫ ବର୍ଷ ଇତିହାସରେ ଇମ୍ରାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ଅନାସ୍ଥା ଭୋଟରେ ହାରି ଗାଦିଚ୍ୟୁତ ହୋଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି ।