ଉତ୍ତର ପ୍ରଦେଶ ସରକାରର କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ନିଶାଦଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତର ପ୍ରଦେଶ ସରକାରର କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ନିଶାଦଙ୍କ ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ସଞ୍ଜୟ ନିଶାଦଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଆସନ୍ତା ୧୦ ତାରିଖ ସୁଦ୍ଧା ନିଶାଦଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ସାହାପୁର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସାତ ବର୍ଷ ପୂର୍ବର ଏକ ମାମଲାରେ ତାଙ୍କୁ ଗିରଫ କରିବାକୁ ଏହ ଆଦେଶ ଦିଆଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ, ୨୦୧୫ ଜୁନ୍‌ ୭ରେ କାସରୱାଲରେ ସରକାରୀ ଚାକିରିରେ ୫ ପ୍ରତିଶତ ସଂରକ୍ଷଣ ଦାବିରେ ଆନ୍ଦୋଳନ ଚାଲିଥିଲା। ଆନ୍ଦୋଳନକାରୀମାନେ ରେଳ ଧାରଣା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ପ୍ରଥମେ ଲାଠି ଚାଳନା କରିଥିଲା। ପରେ ପୁଲିସ ଗୁଳି ଚଳାଇବାରୁ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ ଆନ୍ଦୋଳନ ତୀବ୍ର ହୋଇଥିଲା ଏବଂ ଆନ୍ଦୋଳନକାରୀମାନେ ପୁଲିସ ସହ ସଂଘର୍ଷ କରିଥିଲେ। ତେବେ ଏହି ଘଟଣା ପରେ ନିଶାଦ ପାର୍ଟି ମୁଖ୍ୟ ସଞ୍ଜୟ ନିଶାଦଙ୍କ ସମେତ ୫୦ରୁ ଅଧିକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ବର୍ତ୍ତମାନ ଏହି ମାମଲାରେ କୋର୍ଟ ନିଶାଦଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି।

Related Posts